ଏଟିଏମ ମନେପକାଇଦେଲା ନୋଟବନ୍ଦୀ ବେଳର କଥା : ଓଡିଶାରୁ ଆସାମ, ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ବ୍ୟାଙ୍କ ଏଟିଏମରେ ନାହିଁ ଟଙ୍କା, ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କଲା ଅର୍ଥ ମନ୍ତ୍ରାଳୟ

40

କନକ ବ୍ୟୁରୋ : ଏଟିଏମ ମନେପକାଇଦେଲା ନୋଟବନ୍ଦୀ ବେଳର କଥା । ଦେଶର ଅଧିକାଂଶ ଏଟିଏମରୁ ବାହାରୁନି ଟଙ୍କା । ସତେ ଯେମିତି ପୁଣି ଥରେ ଦେଶରେ ନୋଟବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପୁଣି ଥରେ ଟଙ୍କା ଉଠାଇବା ପାଇଁ ଗ୍ରାହକମାନେ ବ୍ୟାଙ୍କରେ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଏଟିଏମରୁ ଟଙ୍କା ଉଠୁନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଗତ କିଛି ଦିନ ହେବ ବିଭିନ୍ନ ରାଜ୍ୟରେ ଏଭଳି ଅସୁବିଧା ଦେଖା ଦେଇଛି । ଏହାକୁ ନେଇ ଲୋକେ ଚିନ୍ତାରେ ପଡିଥିବାବେଳ ଆଗକୁ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଆବଶ୍ୟକତାରୁ ଅଧିକ ପରିମାଣର ଟଙ୍କା ଉଠାଣ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆରବିଆଇ କହିଛି । ରାଜଧାନୀ ଦିଲ୍ଲୀ ସମେତ ଓଡିଶା, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଏଭଳି ସମସ୍ୟା ଅଧିକ ଉପୁଜିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ । ୨୦୧୬ ନଭେମ୍ବର ୮ତାରିଖ ବିମୁଦ୍ରାକରଣ ପରେ ବ୍ୟାଙ୍କରେ ଏହିଭଳି ଅବସ୍ଥା ଦେଖିବାକୁ ମିଳିଥିଲା । ଗ୍ରାହକମାନେ ଟଙ୍କା ଉଠାଇବା ପାଇଁ ଏଟିଏମ ଆଗରେ ଧାଡି ଲଗାଇଥିଲେ ।