ବନ୍ୟାରେ ଭାସୁଛି ଆସାମ, ହନ୍ତସନ୍ତ ଜନଜୀବନ: ଗୁଆହାଟୀରେ ଭାସୁଛି ବିଧାୟକଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା

136

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟରାଜନୀତିରେ ହଟଚମଟ ଜାରି ରହିଛି । ସେପଟେ ଆସାମ ଗୁଆହାଟୀରେ ଡେରା ପକାଇଛନ୍ତି ବିଦ୍ରୋହୀ ବିଧାୟକ । ମୁମ୍ବାଇରେ ଠାକରେ କ୍ୟାମ୍ପ ଓ ଗ୍ରୁଆହାଟୀରେ ସିନ୍ଦେ ସେନା ରହି ନିଜର ନିଜର ରଣନୀତି ଉପରେ ଫୋକସ କରୁଛନ୍ତି । ଏହା ଭିତରେ ଚର୍ଚ୍ଚାକୁ ଆସିଛି ଆସାମ ବନ୍ୟା ଭିତରେ ବିଦ୍ରୋହି ବିଧାୟକଙ୍କ ଗୁଆହାଟୀ ରହଣୀ ଘଟଣା ।

ଗୋଟେ ପଟେ ଜଳ ପ୍ରଳୟ ଅନ୍ୟପଟେ ରାଜନୀତିର ରୋଚକ ଯାତ୍ରା । ଆସାମର ଦୁଇଟି ଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି ।ବର୍ତମାନ ଆସାମରେ ଭୟଙ୍କର ପ୍ରଳୟ ଜାରି ରହିଛି । ସପ୍ତାହକ ଭିତରେ ୨୨୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଘରଦ୍ୱାରା, ଜନଜୀବନ ସବୁକିଛି ଭାସୁଛି ବନ୍ୟାରେ । ପ୍ରଳୟକାରୀ ବନ୍ୟା ଯୋଗୁଁ ଆସାମର ସ୍ଥିତି ବେଶ ଭୟଙ୍କର ହୋଇପଡିଛି । ଏହା ଭିତରେ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର ବିଧାୟକଙ୍କ ଗୁଆହାଟୀ ରହଣୀ ।

ଘଟଣା ଉପରେ ପ୍ରଶ୍ନ ଉଠିବା ସହ ସମାଲୋଚନାର ଶିକାର ହୋଇଛନ୍ତି ବିଦ୍ରୋହୀ ବିଧାୟକ ।। କଂଗ୍ରେସ ଓ ଅନ୍ୟାନ୍ୟ ଦଳ ସିନ୍ଦେଙ୍କୁ ଟାର୍ଗେଟ କରୁଛନ୍ତି । ସେପଟେ ଟିମ ସିନ୍ଦେ କହିଛି କି ଏସବୁ ଖର୍ଚ୍ଚ ଦଳ କରୁନି ବଂର ସେମାନେ ନିଜ ପକେଟରୁ କରୁଛନ୍ତି ।

ଏଠାକାର ପଂଚତାରକା ହୋଟେଲ ବ୍ଲ୍ୟୁ ରାଡିସନରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ତାଙ୍କୁ ସମର୍ଥନ ଜଣାଉଥିବା ପାଖାପାଖି ୪୫ ଜଣ ବିଦ୍ରୋହୀ ବିଧାୟକ ୭ଦିନ ହେଲାଣି ଡେରା ପକାଇଛନ୍ତି । ସବୁଠୁ ବଡ କଥା ହେଉଛି ଯେଉଁଠି ଆସାମ ବନ୍ୟା ଯୋଗୁଁ ବେଶ କ୍ଷୟକ୍ଷତି ସହୁଥିବାବେଳେ ଏହି ବିଧାୟଙ୍କ ପାଇଁ ଏଠାରେ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି ।
ଆସନ୍ତୁ ନଜର ପକାଇବା ବିଦ୍ରୋହୀ ବିଧାୟକଙ୍କ ଗୁଆହାଟୀ ରହଣୀ ଉପରେ

–ଗୁଆହାଟୀର ପଂଚତାରକା ହୋଟେଲ ରହୁଛନ୍ତି ବିଦ୍ରୋହୀ ବିଧାୟକ ।
–ବିଧାୟକଙ୍କ ଆରାମଦାୟକ ରହଣୀ ପାଇଁ ପାଣି ପରି ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କ ।
–ପଂଚତାରକା ବ୍ଲୁ ରାଡିସନ ହୋଟେଲରେ ବିଦ୍ରୋହୀ ବିଧାୟକ ରହୁଛନ୍ତି
–୭ଦିନ ପାଇଁ ୭୦ ରୁମ ବୁକ କରାଯାଇଛି ।
–ବିଦ୍ରୋହୀ ବିଧାୟକ ରହିଥିବା ଯୋଗୁଁ ଅନ୍ୟାନ୍ୟ ବୁକିଂ ଗ୍ରହଣ କରାଯାଉନି
–ବିଧାୟକଙ୍କ ପାଇଁ ପ୍ରତିଦିନ ଖାଇବା ବାବଦରେ ପ୍ରାୟ ୮ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି
–ହୋଟେଲ ସ୍ୱତନ୍ତ୍ର ହେଲିପ୍ୟାଡରେ ବିଧାୟକମାନେ ଯାତାୟତ କରୁଛନ୍ତି
–ସ୍ୱତନ୍ତ୍ର ହେଲିକପ୍ଟର ଓ ଚାର୍ଟାଡ ପ୍ଲେନ ମଧ୍ୟ ରହିଛି ।

ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କଂଗ୍ରେସ ନେତା ଗୌରବ ଗୋଗେଇ କହିଛନ୍ତି ଅ।।ସାମରେ ପିଇବା ପାଇଁ ଶୁଦ୍ଧ ପାଣି ଟିକେ ମିଳୁନି କିନ୍ତୁ ବିଦ୍ରୋହୀ ବିଧାୟକଙ୍କ ପାଇଁ ପାଣି ପରି ଅର୍ଥ ଭାସୁଛି । ସେପଟେ ଆସାମ ସରକାର କହିଛନ୍ତି ହୋଟେଲ ରହଣୀ ଜଣେ ବ୍ୟକ୍ତିର ନିଜସ୍ୱ ଇଚ୍ଚା ଏଥିପାଇଁ ରାଜ୍ୟ ସରକାର ଜବାବ କିଭଳି ରଖିବେ?

ରାଡିସନ ବ୍ଲୁ ଲକ୍ସୁରି ହୋଟେଲରେ ମୋଟ ୧୬୯ ରୁମ ରହିଛି । ଏକନାଥ ସିନ୍ଦେ ଓ ତାଙ୍କ ଟିମ ପାଇଁ ୭୦ଟି ରୁମ ପାଇଁ ଏବେ ସୁଦ୍ଧା ୫୬ ଲକ୍ଷ ଟଙ୍କା ପେମେଂଟ କରାଯାଇଛି । ସେପଟେ ମହାରାଷ୍ଟ୍ର ରାଜନୀତିରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏହା ଭିତରେ ବନ୍ୟା ସମସ୍ୟା ଦେଇ ଗତି କରୁଥିବା ଆସାମରେ ସିନ୍ଦେ ଟିମଙ୍କ ରହଣୀକୁ ନେଇ ପୁଣି ନୂଆ ବିବାଦ ମୁଣ୍ଡ ଟେକିଛି ।