ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ଯିବ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପ୍ରାଥମିକ ଶ୍ରେଣୀ ପାଇଁ ୪୭୯ ଟଙ୍କା, ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ୭୧୭ଟଙ୍କା । ମାର୍ଚ୍ଚ ୧୬ରୁ ଜୁନ ୧୩ ଯାଏଁ ୯୦ ଦିନର ରୋଷେଇ ଖର୍ଚ୍ଚ ପାଇବେ ଛାତ୍ରଛାତ୍ରୀ

2,236

କନକ ବ୍ୟୁରୋ: ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ବାପା ମାଆଙ୍କ ଆକାଉଂଟକୁ ଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ । ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୭୯ ଟଙ୍କା ୯୬ ପଇସା ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଖାତାକୁ ୭୧୭ଟଙ୍କା ୧୬ ପଇସା ଯିବ । ମାର୍ଚ୍ଚ ୧୬ରୁ ଜୁନ ୧୩ ତାରିଖ ଯାଏଁ ୯୦ଦିନର ରୋଷେଇ ଖର୍ଚ୍ଚ ବାବଦକୁ ଟଙ୍କା ଅଭିଭାବକଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ ।

ମଧ୍ୟାହ୍ନ ଭୋଜନ ଯୋଜନାର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ବ୍ଲକ ଶିକ୍ଷା ଅଧିକାରୀମାନେ ସ୍କୁଲ ତାଲିକା ଏବଂ ଅଭିଭାବକଙ୍କ ବ୍ୟାଙ୍କ ଆକାଉଂଟ ତାଲିକା ପ୍ରସ୍ତୁତ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ସ୍କୁଲ ଆକାଉଂଟକୁ ରୋଷେଇ ବାବଦକୁ ଖର୍ଚ୍ଚ ତୁରନ୍ତ ପଠାଇବା ଲାଗି ନିର୍ଦ୍ଦେଶ ରହିଛି । ଯେଉଁ ଅଭିଭାବକମାନଙ୍କର ବ୍ୟାଙ୍କ ଆକାଉଂଟ ନଥିବ ସେମାନଙ୍କୁ ସ୍କୁଲରେ ଧାର୍ଯ୍ୟ ରାଶି ପଇଠ କରିବ ।