ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା, ସାଢ଼େ ୮କୋଟି କୃଷକ ପାଇଲେ ସହାୟତା

460

କନକ ବ୍ୟୁରୋ: ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୪ତମ କିସ୍ତି ଆକାରରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ହଜାର ଲେଖାଏଁ ଟଙ୍କା ଆସିଛି । ରାଜସ୍ଥାନର ସିକରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ, ପ୍ରାୟ ସାଢ଼େ ୮ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୭ ହଜାର କୋଟି ଟଙ୍କା ଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ।

ପିଏମ କିଷାନ ଯୋଜନାରେ ଓଡିଶାରୁ ପ୍ରାୟ ୨୩ଲକ୍ଷ ଚାଷୀ ଉପକୃତ ଟଙ୍କା ପାଇଥିବା କୁହାଯାଉଛି । ହେଲେ, ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ଚାଷୀ ସଂଖ୍ୟା କମ୍ ହେବାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛି ବିଜେପି । ରାଜ୍ୟ ବିଜେପି ସଭାପତି କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ତାଲିକାରେ ଚାଷୀଙ୍କ ସଂଖ୍ୟାଙ୍କୁ କମ୍ କରି ଦେଇଛନ୍ତି । ଯାହାଫଳରେ ଓଡି଼ଶାର ଚାଷୀ କିଷାନ ସମ୍ମାନ ଯୋଜନାରୁ ବଂଚିତ ହେଉଛନ୍ତି । କିନ୍ତୁ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ । ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଏହା ହେଉଛି ବିଜେପିର ମନଗଢ଼ା କାହାଣୀ । ଆଗକୁ ନିର୍ବାଚନ ଥିବାରୁ ବିରୋଧୀ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛନ୍ତି ।

ଏଥିସହ ଚାଷୀଙ୍କ ଉନ୍ନତି ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟନ କରିଛନ୍ତି । ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୨୫ ହଜାର କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଚାଷ ଉପଯୋଗୀ ଯନ୍ତ୍ରପାତି ରହିବ, କର୍ମଶାଳା ହେବ । ଚାଷୀଙ୍କୁ ସଚେତନ କରାଯିବ, ବିହନ କେନ୍ଦ୍ର ହେବ । ଆଉ ଏସବୁ ଚାଷୀଙ୍କ ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।