ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ଅଧିକ ୪ଟି ଓଡ୍ରାଫ୍ ଦଳ ମୁତୟନ ହେଉ । ଏସଆରସିଙ୍କୁ ଚିଠି ଲେଖି ଅନୁରୋଧ ଜଣାଇଲା ଜଙ୍ଗଲ ଓ ପରିବେଶ ବିଭାଗ ।

89

କନକ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ନିଆଁ ଲିଭାଇବା ପାଇଁ ଅଧିକ ୪ଟି ଓଡ୍ରାଫ୍ ଦଳ ମୁତୟନ ହେଉ । ରାୟଗଡା, ନୂଆପଡା, ଦେଓଗଡ ଓ ଗଞ୍ଜାମର ଭଞ୍ଜନଗର ବନ ଉପଖଣ୍ଡରେ ନିଆଁ ଲିଭାଇବା ପାଇଁ ଓଡ୍ରାଫ୍ ଦଳ ମୁତୟନ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଦୀର୍ଘ ସମୟ ଧରି ଅତ୍ୟନ୍ତ ଶୁଷ୍କ ପାଗ ଯୋଗୁଁ ଚଳିତ ବର୍ଷ ରାଜ୍ୟରେ ବନାଗ୍ନି ଘଟଣାରେ ବୃଦ୍ଧି ଘଟିଛି । ବିଭାଗୀୟ ସ୍ୱତନ୍ତ୍ର ସ୍କ୍ୱାର୍ଡ, ବନ ସୁରକ୍ଷା ସମିତି, ପରିବେଶ ବିକାଶ କମିଟି ସହାୟତାରେ ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ତୁରନ୍ତ ପଦକ୍ଷେପ ନେଉଛନ୍ତି । ମାତ୍ର ନିଆଁର ବ୍ୟାପକତା, ବାୟୁମଣ୍ଡଳର ଉତ୍ତାପରେ ବୃଦ୍ଧି ଓ ଶୁଷ୍କ ପାଗ ଯୋଗୁଁ ଏହି ନିଆଁ ଲିଭା ପଦକ୍ଷେପ ଅଧିକ ଲୋକଙ୍କ ସଂପୃକ୍ତି ଜରୁରୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଶିମିଳିପାଳରେ ନିଆଁ ଲିଭା କାମରେ ଲାଗିଥିବା ଓଡ୍ରାଫ୍ ଦଳ ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇପାରିଛନ୍ତି ବୋଲିି ସେ କହିଛନ୍ତି । ତେଣୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳ, ରାୟଗଡା, ନୂଆପଡା, ଦେଓଗଡ ଓ ଭଞ୍ଜନଗର ଉପଖଣ୍ଡରେ ଅଧିକ ଓଡ୍ରାଫ୍ ଦଳ ମୁତୟନ କରିବା ପାଇଁ ସେ ଚିଠିରେ ଅନୁରୋଧ କରିଛନ୍ତି ।