ମାହାଙ୍ଗାରେ ମୋମୋ ଆତଙ୍କ ! ଗେମ ଖେଳି ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ । ମୋବାଇଲରୁ ମିଳିଲା ମୃତ୍ୟୁର ଆପ୍

62

ମୋମୋ ଦେଉଛି ମୃତ୍ୟୁର ଡାକ । ମୋମୋ ନେଉଛି ଜୀବନ । ରାଉରକେଲାର ଇଂଜିନିୟରଂ ଛାତ୍ର ଚେତନ କୁମାରଙ୍କ ପରେ ଏବେ ସାଲେପୁର ମାହାଙ୍ଗାରୁ ଆଉ ଜଣେ ଯୁବକ ମୋମୋ ଗେମ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମାହାଙ୍ଗା ଉମର ଗାଁର ଉମାକାନ୍ତ ବେହେରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ପରିବାର ଲୋକ ତାଙ୍କ ମୋବାଇଲରୁ ମୋମୋ ଗେମ ଆପ୍ ପାଇଥିବାରୁ ମୋମୋ ଗେମ ଖେଳି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକ ମାହାଙ୍ଗା ଥାନାରେ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ କହିଛନ୍ତି ।

ଏଠାରେ ଆମେ କହିରଖୁଛୁ କି, ନିକଟରେ ରାଉରକେଲା ରେଲୱେ କଲୋନୀର ଜଣେ ଇଂଜିନିୟରିଂ ଛାତ୍ର ଏହି ଗେମର ଚ୍ୟାଲେଂଜ୍ ନେଇ ଜୀବନ ହରାଇଥିଲେ । ମୋବାଇଲର ଏହି ଘାତକ ଖେଳରେ ସେ ଏଭଳି ଆକର୍ଷିତ ହେଲେ ଯେ, ଭୁବନେଶ୍ୱରରୁ ଚେନାଇ ଯାଇ ସେଠାରେ ୬ ମହଲା ଉପରୁ ଡେଇଁପଡିଥିଲେ । ଭୁବନେଶ୍ୱରର ଏକ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିଲେ ଚେତନ କୁମାର । ମେଧାବୀ ଛାତ୍ର ହେବା ସହ ଫଟୋଗ୍ରାଫିରେ ମଧ୍ୟ ଜାତୀୟ ସ୍ତରରେ ହୋଇଥିଲେ ପୁରସ୍କୃତ । ହେଲେ ମୋବାଇଲରେ ଏକ ଘାତକ ଖେଳ ନେଇଯାଇଛି ଏହି ମେଧାବୀ ଛାତ୍ରଙ୍କ ଜୀବନ । ବ୍ଲୁ ହ୍ୱେଲ ପରେ ଏବେ ମୋମୋ ଚ୍ୟାଲେଂଜ ଦେଉଛି ମୃତ୍ୟୁର ଡାକ । ଏହି ଖେଳ ତାଙ୍କୁ ଏତେ ପାଗଳ କରିଥିଲା ଯେ ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ୬ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିପକାଇଥିଲେ ।

କ’ଣ ଏହି ମୋମା ଚ୍ୟାଲେଞ୍ଜ

ପ୍ରଥମେ ହ୍ୱାଟ୍ସଅପ୍ ମେସେଞ୍ଜର ଜରିଆରେ ଏହି ଗେମର ଲିଙ୍କ୍ ପାଇଲା ପରେ ବ୍ୟବହାରକାରୀ ଏହା ପ୍ରତି ଆକୃଷ୍ଟ ହୋଇପଡ଼େ । ଏହାପରେ ଖେଳାଳିଙ୍କ ପାଖକୁ ବିଭିନ୍ନ ନିର୍ଦ୍ଦେଶ ଆସିଥାଏ ଓ ସେହି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିଥାଏ । ମୋମୋରେ ଏକ ଆକାଉଂଟ ଖୋଲି, ଆସୁଥିବା ବିପଦଜନକ ନିର୍ଦ୍ଦେଶ ଗୁଡ଼ିକୁ ପାଳନ କରିଥାଏ ପ୍ରତିଯୋଗୀ । ଏପରିକି ନିଜକୁ କିମ୍ବା ନିଜ ପରିବାରକୁ କ୍ଷତି ପହଁଚାଇବାକୁ ଚ୍ୟାଲେଞ୍ଜ ମିଳେ । ବିଭିନ୍ନ ବିପଦପୂର୍ଣ୍ଣ ଟାସ୍କ କରିବାକୁ ଖେଳାଳିକୁ କୁହାଯାଇଥାଏ । ଏହି ସବୁ ନିର୍ଦ୍ଦେଶ ପାଳନ ନକଲେ ଖେଳାଳି ଓ ତାଂକ ପରିବାର ଲୋକଙ୍କ ପରିଣତି ଭୟାବହ ହେବ ବୋଲି ମଧ୍ୟ ଧମକ ମିଳିଥାଏ । ଆଉ ଶେଷ ଚ୍ୟାଲେଂଜ ଥାଏ ଆତ୍ମହତ୍ୟା । ତେବେ ମୃତ୍ୟୁର ଏହି ଖେଳ ଭିତରେ ମାନସିକ ସ୍ତରରେ ଖେଳାଳିଙ୍କୁ ଏପରି ଦୁର୍ବଳ କରିଦିଆଯାଏ ଯେ, ଆତ୍ମହତ୍ୟା କରିବାକୁ ମଧ୍ୟ ସେ ପଛାଇନଥାଏ ।

ମୋମୋ ଗେମ୍ ନେଇ ଆଡଭାଇଜରୀ ଜାରି

ମୋମୋ ଗେମ୍ ନେଇ ଆଡଭାଇଜରୀ ଜାରି ହୋଇଛି । ଏହି ଗେମ୍ ଠାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଂଚ୍ । ଆଡଭାଇଜରୀରେ କୁହାଯାଇଛି, ଆପଣଙ୍କ ହ୍ୱାଟ୍ସ ଆପ୍ରେ ଅଜଣା ଲିଙ୍କଠାରୁ ଦୂରେଇ ରୁହନ୍ତୁ । ଅଜଣା ନମ୍ବରରୁ ମେସେଜ୍ ଆସିଲେ ତାର ଉତର ଦିଅନ୍ତୁ ନାହିଁ । ଅଜଣା ନମ୍ବରରୁ କୌଣସି ଗେମ୍ ଖେଳିବାକୁ କୁହାଗଲେ ସେହି ନମ୍ବରକୁ ସଙ୍ଗେ ସଙ୍ଗେ ବ୍ଲକ୍ କରନ୍ତୁ । ଅଭିଭାବକ ମାନେ ପିଲାଙ୍କ ବ୍ୟବହାର ଉପରେ ସତର୍କ ଦୃଷ୍ଟି ଦେବାକୁ ଗାଇଡ ଲାଇନରେ ପରାମର୍ଶ ଦିଆଯାଇଛି ।