ରାଉରକେଲାର ମୋମୋ ଆଣ୍ଟି: ଦୃଢ ଇଚ୍ଛାଶକ୍ତି ଓ ଧୈର୍ଯ୍ୟର ଅମରାବତୀ , ହାତ ତିଆରି ମୋମୋ ସହ ବାଣ୍ଟୁଛନ୍ତି ଜୀବନ ମନ୍ତ୍ର

179

କନକ ବ୍ୟୁରୋ:  ଇଏ ହେଉଛନ୍ତି ରାଉରକେଲାର ପରିଚିତ ମୋମୋ ଆଣ୍ଟି । ଅପଣଙ୍କ ପାଇଁ ଏହି ମହିଳା ଜଣକ ଅତି ସାଧାରଣ ହେଲେ ସ୍ଥାନୀୟ ଲୋକଙ୍କ ପାଇଁ ସେ ଅସାଧାରଣ । ଆପଣ ଭାବୁଥିବେ ରାସ୍ତା କଡରେ ପସରା ମେଲାଇଥିବା ଏହି ମହିଳାଙ୍କର ଖାସିୟତ କଣ? ହେଲେ ଏଇ ପସରା ହିଁ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ ।

ଇଏ ହେଉଛନ୍ତି ରାଉରକେଲା ସିଭିଲ ଟାଉନ ବାସିନ୍ଦା ଅନିତା ଚୌଧୁରୀ । ମୋମୋ ଆଣ୍ଟି କହିଲେ ସମସ୍ତେ ବୁଝିଯାନ୍ତି । ଏଇ ମୋମୋ ହିଁ ତାଙ୍କୁ ଦେଇଛି ବଂଚିବାର ରାହା । ରୋଷେଇ ଘରୁ ରାସ୍ତାକଡର ଏହି ମୋମୋ ଜର୍ଣ୍ଣିଂ ତାଙ୍କୁ ଦେଇଛି ନେମ ଆଉ ଫେମ୍ । ଅନିତାଙ୍କ ହାତ ତିଆରି ମୋମୋ ଯେତିକି ଟେଷ୍ଟି ତାଙ୍କ ବ୍ୟକ୍ତିତ୍ୱ ସେତିକି ଇଣ୍ଟରେଷ୍ଟିଙ୍ଗ । ମୋମୋ ଖାଇବା ଅପେକ୍ଷା ତାଙ୍କୁ ଦେଖିବାକୁ ଛୁଟେ ଗ୍ରାହକଙ୍କ ସୁଅ । ହେଲେ ଏହା ପଛର କାହାଣୀ କିନ୍ତୁ ହୃଦୟ ବିଦାରକ ।

 ଅକାଳରେ ଚାଲିଗଲେ ସ୍ୱାମୀ । କୋଳରେ ଦୁଇଦୁଇଟି କଅଁଳା ଛୁଆ । ନା ଥିଲା କାହାରି ମାନସିକ ନା ଆଥିକ ସହାୟତା । କଣ କରିବେ କଣ ନାହିଁ । କେମିତି ପିଲାଙ୍କୁ ମଣିଷ କରିବେ । ବୁଦ୍ଧିବାଟ ଦିଶିଲାନି । ଭାବିଲେ ଆତ୍ମହତ୍ୟା ହିଁ ଏକମାତ୍ର ବାଟ । ହେଲେ ଦିନେ ହଠାତ୍ ତାଙ୍କ ମନରେ ଉଙ୍କି ମାରିଲା କ୍ଷୀଣ ଆଲୋକଶିଖା । ଆଉ ସେହି ଆଲୋକ ଶିଖା ଆଜି ତାଙ୍କ ସମ୍ପୂର୍ଣ୍ଣ ଜୀବନକୁ କରିଛି ଆଲୋକିତ , ପରିପୂର୍ଣ୍ଣ । ଶାଶୁଘରେ ଅଧିକାଂଶ ସମୟ ପ୍ରସ୍ତୁତ କରୁଥିବା ମେମୋ ଆଉ ତା ପାଇଁ ମିଳୁଥିବା ବାହାବା ତାଙ୍କ ମନରେ ଆଣିଥିଲା ଆଶା ଓ ବିଶ୍ୱାସ । ସେଇଠୁ ପିଲାଙ୍କୁ ମଣିଷ କରିବାକୁ ଅଣ୍ଟା ଭିଡିଲେ । ସେଇଠୁ ଆରମ୍ଭ କରିଥିଲେ ମୋମୋ ବିଜନେସ୍ । ସବୁ କିଛି ଘରେ ପ୍ରସ୍ତୁତ କରି ଗ୍ରାହକଙ୍କୁ ସର୍ଭ କରିଥାନ୍ତି ରେଡି ଟୁ ଇଟ୍ ମୋମୋର ପାର୍ସଲ । ଅର୍ଥ ଅଭାବରୁ ପ୍ରଥମେ ସାଇକେଲରେ ଆରମ୍ଭ କଲେ ମୋମୋ ବିଜନେସ୍ । ଦିନକୁ ଦେଢସହରୁ ୨ଶହ ଭିତରେ ରେଜଗାର କରିବା କଷ୍ଟ ହେଉଥିଲା । ହେଲେ ମୋମୋର ଟେଷ୍ଟ ସାଙ୍ଗକୁ ତାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର କିଛି ଦିନରେ ଗ୍ରାହକଙ୍କ ସଂଖ୍ୟା ବଢାଇଦେଇଥିଲା । ଗ୍ରାହକଙ୍କ ଚାହିଦା ଏବେ ବଢିଯାଇଛି ଯେ ମୋମୋ ଯୋଗାଇବା ତାଙ୍କ ପାଇଁ ଏବେ କଷ୍ଟକର ହେଉଛି ।

ପରିସ୍ଥିତି ଆଗରେ ହାର ମାନିନଥିବା ଅନିତା ଏବେ ସ୍ଥାନୀୟ ମହିଳାଙ୍କ ପାଇଁ ଆଇକନିକ୍ ଲେଡି । ଏବେ ତ ଅନିତାଙ୍କୁ କଲୋନୀର କିଛି ଝିଅ ସ୍ୱେଚ୍ଛାକୃତ ଭାବେ ସାହାଯ୍ୟ କରୁଛନ୍ତି । ଅନିତାଙ୍କ ମୋମୋ ଖାଇବାକୁ ଖାଲି କଲୋନୀ ନୁହେଁ ଦୂର ଜାଗାରୁ ବି ଛୁଟିଆସୁଛନ୍ତି ଗ୍ରାହକ ।ସତରେ ଆଜିକାର ସମସ୍ୟା ବହୁଳ ସମାଜରେ ଅନିତା ସମସ୍ତଙ୍କ ପାଇଁ ପାଲଟିଛନ୍ତି ଜୀବନ ଜାହାଜର ଅମରାବତୀ । ନାରୀ ସଶକ୍ତିକରଣର ଜ୍ୱଳନ୍ତ ନିଦର୍ଶନ ।