କନକ ବ୍ୟୁରୋ : ଚାଷୀ ଆଖିରେ ଲୁହ । ବାତ୍ୟା ଜୱାଦ ପ୍ରଭାବରେ ଉଜୁଡି ଯାଇଛି ଧାନ ଫସଲ । ବିଲରେ ଏବେ ବି ପାଣି ଜମିଛି । ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ସାଲେପୁର ଅଂଚଳର ବହୁ ସ୍ଥାନରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ବିଶେଷ କରି ଖାଲୁଆ ଅଂଚଳର ଜମିଗୁଡିକରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ପନିପରିବା ଫସଲ ବି ନଷ୍ଟ ହୋଇପଡିଛି । ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସରକାରୀ ଅଧିକାରୀ ପ୍ରଭାବିତ ଅଂଚଳ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି ।
ସେହିପରି ଉଦ୍ୟାନକୃଷି ବିଭାଗ ପକ୍ଷରୁ ଜିଲ୍ଲାରେ କେତେ କ’ଣ କ୍ଷୟକ୍ଷତି ହୋଇଛି ତା’ର ରିପୋର୍ଟ ପ୍ରସ୍ତୁତ ହୋଇ ନଥିବା ଜଣାପଡ଼ିଛି । ଏପରିକି ଉଦ୍ୟାନ ବିଭାଗରେ କ’ଣ କ୍ଷୟକ୍ଷତି ହୋଇଛି ତା’ର ଫଟୋ ଓ ଅଭିଯୋଗ କ୍ଷେତ୍ର ସ୍ତରରୁ ପହଞ୍ଚି ନଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । କୃଷି ବିଭାଗ ରିପୋର୍ଟ ଅନୁସାରେ ଖରିଫ୍ ଋତୁରେ କଟକ ଜିଲ୍ଲାରେ ୧ଲକ୍ଷ ୩୩ ହଜାର ୬୪୫ ହେକ୍ଟର୍ ଚାଷ ଜମିରେ ଧାନ ଫସଲ କରାଯାଇଛି । ସେଥିରୁ ମାତ୍ର ୨୯ହଜାର ହେକ୍ଟର୍ ଚାଷଜମିରୁ ଧାନ ଅମଳ କରାଯାଇଥିବା ବେଳେ ବାକି ୧ଲକ୍ଷ ୪ ହଜାର ୨୫୧ହେକ୍ଟର୍ ଚାଷଜମିରୁ ଧାନ ଅମଳ ହୋଇପାରିନି ।
ବର୍ଷାରେ ସାଲେପୁର ବ୍ଲକ୍ରେ ସର୍ବାଧିକ ୧୨ହଜାର ୩୫୦ ହେକ୍ଟର୍ ଚାଷଜମିରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଙ୍କୀରେ ସବୁଠାରୁ କମ୍ ଅର୍ଥାତ୍ ୩୦୦ ହେକ୍ଟର୍ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନ ତଥ୍ୟରେ ଦର୍ଶାଯାଇଛି । ସେହିପରି କଟକ ସଦର ବ୍ଲକ୍ରେ ୭୦୬୦ ହେକ୍ଟର୍, ବାରଙ୍ଗରେ ୫୨୫ହେକ୍ଟର୍, କଣ୍ଟାପଡ଼ାରେ ୩୯୧୨, ନିଆଳିରେ ୩୭୪୦, ନିଶ୍ଚିନ୍ତକୋଇଲିରେ ୯୫୬୦, ମାହାଙ୍ଗାରେ ୨୧୩୬, ଟାଙ୍ଗୀ-ଚୌଦ୍ବାରରେ ୩୩୯୫, ଆଠଗଡ଼ରେ ୫୦୦, ତିଗିରିଆରେ ୩୩୫, ବଡ଼ମ୍ବାରେ ୯୫୦, ନରସିଂହପୁରରେ ୮୩୧୩, ଡମପଡ଼ାରେ ୩୭୫ ହେକ୍ଟର୍ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି ।