ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ମୋକିମଙ୍କୁ ମିଳିଲା ବେଲ୍: ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ

724

କନକ ବ୍ୟୁରୋ: ଓଆରଏଚଡିସି ଦୁର୍ନୀତି ମାମଲାରେ ରାୟ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମଡି ମହମ୍ମଦ ମୋକିମ ସେହିଭଳି ପୂର୍ବତନ ଆଇଏଏସ ବିନୋଦ କୁମାରକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ୨୦୦୦ ମସିହାରେ ଋଣ ହାତେଇବା ପାଇଁ ମେଟ୍ରୋ ବିଲ୍ଡର୍ସ ଜାଲ କାଗଜପତ୍ର ଦେଇଥିଲା ଓ କ୍ଷମତା ନ ଥାଇ ବି ବିନୋଦ କୁମାର କମ୍ପାନୀକୁ ଅନୁଚିତ ଅନୁଗ୍ରହ ଦେଖାଇଥିଲେ । ଏହି ମାମଲାର ବିଚାର କରି ଭିଜିଲାନ୍ସ ମୋକିମ ଓ ବିନୋଦ କୁମାରଙ୍କୁ ଏହି ଜେଲଦଣ୍ଡାଦେଶ ଦେଇଛନ୍ତି । ଏହାଛଡା ମେେଟ୍ରୋ ବିଲ୍ଡର୍ସର ନିର୍ଦ୍ଦେଶକ ପିୟୁଷ ମହାନ୍ତି ଓ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ହେଲେ ମୋକିମଙ୍କୁ ଜେଲ ଦଣ୍ଡାଦେଶ ମିଳିବାର ମାତ୍ର କେଇଘଣ୍ଟା ମଧ୍ୟରେ ପୁଶି ଜାମିନ ମିଳିଛି ।

ମେଟ୍ରୋ ବିଲଡର୍ସକୁ ୨୦୦୦ ମସିହାରେ ଏଭଳି ଅହେତୁକ ଅନୁଗ୍ରହ ଦେଖାଇଥିଲେ ପୂର୍ବତନ ଆଇଏଏସ ବିନୋଦ କୁମାର ।
– ୨୦୦୦ ଜାନୁଆରୀରୁ ୨୦୦୧ ମେ ମାସ ମଧ୍ୟରେ ବିନୋଦ କୁମାର ଓଆରଏଚଡିସିର ଏମଡି ଥିଲେ
– ଏହି ସମୟରେ ମେଟ୍ରୋ ବିଲଡର୍ସକୁ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ଦେଢ କୋଟି ଋଣ ଦେଇଥିଲେ
– ୩ଟି କିସ୍ତିରେ ସଂପୃକ୍ତ ସଂସ୍ଥା ଋଣ ନେଇଥିଲେ
– କ୍ଷମତା ନ ଥାଇ ବିନେଦ କୁମାର ଦେଢ କୋଟି ଋଣ ଦେଇଥିଲେ
– ଋଣ ଦେବା କ୍ଷମତା ଓଆରଏଚଡିସିର ବୋର୍ଡ ନିର୍ଦ୍ଦେଶକଙ୍କ ପାଖରେ ଥିଲା
– -ବୋର୍ଡ ନିର୍ଦ୍ଦେଶକଙ୍କ ଅଜାଣତରେ ଲୋନ ଦେଇଥିଲେ ବିନୋଦ କୁମାର
– କୌଣସି ଦସ୍ତାବିଜକୁ ଯାଂଚ କରାଯାଇନଥିଲା
– ମେଟ୍ରୋ ବିଲଡର୍ସ ବିଡିଏ ପ୍ଲାନ, ପ୍ରୋଜେକ୍ଟ ଏଷ୍ଟିମେଟ ଓ ଅଗ୍ନି ନିରାପତା ପ୍ରମାଣପତ୍ର ଜାଲିଆତି କରିଥିଲା ।

କୋର୍ଟଙ୍କ ଅନୁସାରେ, ୨୦୧୭ ଅକ୍ଟୋବର ୩୧ ସୁଦ୍ଧା ମେଟ୍ରୋ ବିଲଡର୍ସ ଉପରେ ୬ କୋଟି ୨୨ ଲକ୍ଷ ୨୫ ହଜାରରୁ ଅଧିକ ଟଙ୍କା ବକେୟା ରହିଛି । ମୋକିମ, ବିନୋଦ କୁମାରଙ୍କ ସହ ଅନ୍ୟ ୩ ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜୋରିମାନା କରିଛନ୍ତି କୋର୍ଟ । ଏହା ନହେଲେ ସେମାନଙ୍କୁ ଅଧିକ ୬ ମାସ ଜେଲରେ ରହିବାକୁ ପଡିବ ବୋଲି କହିଛନ୍ତି କୋର୍ଟ ।