କନକ ବ୍ୟୁରୋ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୩ ଟି ରାଜ୍ୟରେ ବହୁମତ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ଗୋଟିଏ ରାଜ୍ୟରେ ବହୁମତ ମିଳିଲା । ତେଲେଙ୍ଗାନା ନିର୍ବାଚନ ଫଳାଫଳ ୩ ତାରିଖରେ ପ୍ରକାଶ ପାଇବା ପରେ କଂଗ୍ରେସ ତରଫରୁ ୪ ତାରିଖରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି କରି ୭ ତାରିଖରେ ରେବାନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଘୋଣୋ କଲା ଓ ରେଡ୍ଡୀ ଶପଥ ନେଲେ ।
ସେପଟେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିକୁ ବହୁମତ ମିଳିଥିଲେ ବି କେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ଦୀର୍ଘଦିନ ଧରି ମାନସ ମନ୍ଥନ ଚାଲିଲା । ଶେଷରେ ଦଳ ରାଜସ୍ଥାନବାସୀଙ୍କୁ ଚମକାଇଦେଲା । ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ୍ ଶର୍ମାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କଲା । ମୋହନଲାଲ ମୁଖ୍ୟମନ୍ତ୍ରୀ ହେବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ହାତ ଥିବା କୁହାଯାଉଛି । ସେପଟେ ମୋହନଲାଲ ଅନେକ ବର୍ଷ ଧରି ସଂଘ ପରିବାର ସହ ଜଡିତ ଥିଲେ ଓ ରାଜ୍ୟର ମହାମନ୍ତ୍ରୀ ଥିଲେ । ତେଣୁ ମୋହନଲା ମୁଖ୍ୟମନ୍ତ୍ରୀ ହେବା ପଛରେ ସଂଘ ପରିବାର ହାତ ଥିବା କୁହାଯାଉଛି । ମୋହନଲାଲ ମୁଖ୍ୟମନ୍ତ୍ରୀ ହେବା ପରେ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାଳକନାଥଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ମଉଳି ଯାଇଛି ।
ସେହିଭଳି ଛତିଶଗଡ ପାଇଁ ବିଜେପି ଏକ ଆଦିବାସୀ ଚେହେରାଙ୍କ ଉପରେ ଭରଶା କରିଛି । ଦଳ ତରଫରୁ ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ ବିଜେପିର କେନ୍ଦ୍ରୀୟ ନେତୃତ୍ୱମାନେ ବିଷ୍ଣୁଙ୍କ ଉପରେ ଭରଶା କରିଥିଲେ । ବିଷ୍ଣୁଦେବ ବିଶେଷ ଭାବେ ଜଣେ ଆଦିବାସୀ ନେତା ଓ ଛତିଶଗଡରେ ବେଶ୍ ଲୋକପ୍ରିୟ । ସେ କୁନକୁରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏହାସହ ସେ ରାୟଗଡ ସଂସଦୀୟ କ୍ଷେତ୍ରରୁ ୪ଥର ସାଂସଦ ରହିବା ସହ ମୋଦୀ ସରକାରଙ୍କ ପ୍ରଥମ ପାଳିରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ହେଲେ ୨୦୨୦ ମସିହାରେ ଦଳ ତରଫରୁ ତାଙ୍କୁ ଛତିଶଗଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ।
ଅନ୍ୟପଟେ ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଜଣେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ମୋହନଲାଲ ଓଜୈନ ଦକ୍ଷିଣରୁ ବିଧାୟକ ଅଛନ୍ତି । ମୋହନଲାଲଙ୍କ ରାଜନୈତିକ ଜୀବନ ୧୯୮୪ ମସିହାରୁ ଏବିଭିପିରୁ ଆରମ୍ଭ ହୋଇଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ପିଏଚଡି । ତାଙ୍କୁ ୨୦୨୦ ମସିହାରେ ମଧ୍ୟପ୍ରଦେଶ ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ମୋହନଲାଲ ୨୦୧୩ ମସିହାରେ ମଧ୍ୟପ୍ରଦେଶର ଓଜୈନରୁ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ କ୍ରମାଗତ ଭାବେ ସେ ସେହି ଆସନରୁ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି ।