ମୋହନା ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା । ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ।

176

କନକ ବ୍ୟୁରୋ: ମୋହନା ହତ୍ୟାକାଣ୍ଡକୁ ନେଇ ଜାରି ରହିଛି ଉତ୍ତେଜନା । ଘଟଣା ସ୍ଥଳରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛି । ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହୋଇଥିଲା ଛୁରାମାଡ଼ । ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଯୁବକଙ୍କୁ ଛୁରାମାଡ଼ କରିଥିଲା ଅଭିଯୁକ୍ତ । ଗଜପତି ମୋହନା ଥାନା ଗନ୍ଦ୍ରଗିରି ଗାଁରେ ଛୁରାମାଡ଼ରେ ପ୍ରଶାନ୍ତ ପ୍ରଧାନ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

ଛୁରାମାଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନଙ୍କୁ ଅଟକ ରଖିଛି ମୋହନା ପୋଲିସ । ହତ୍ୟାକାଣ୍ଡ ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘର ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ଆଜି ସକାଳେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ମୋହନା ପୋଲିସ, ଆର ଉଦୟଗିରି ପୋଲିସ, ଅଡ଼ବା ପୋଲିସ, ପାଟପୁର ଓ ଦିଗପହଣ୍ଡି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଗତ ଶିବରାତ୍ରୀ ସମୟରେ ଗାଁ ଯାତ୍ରା କମିଟି ପକ୍ଷରୁ ମହାଭାରତ ନାଟକ ଆୟୋଜନ କରାଯାଇଥିଲା । ଯାତ୍ରା ଚାଲିଥିବା ସମୟରେ ପାଲି ଖେଳକୁ ନେଇ ଉଭୟ ପ୍ରଶାନ୍ତ ଓ ଶ୍ରୀହରିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ାକୁ ନେଇ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।