କନକ ବ୍ୟୁରୋ: ଦୀର୍ଘ ୬୦ ବର୍ଷ ପରେ ଗାଁକୁ ଫେରିଛନ୍ତି ୭୨ ବର୍ଷୀୟ ଗୋବର୍ଦ୍ଧନ ଲାହରା । ୧୨ ବର୍ଷ ବୟସରେ ଗାଁ ଛାଡ଼ିଁ ଦାଦନ ଖଟିବାକୁ ଚାଲିଯାଇଥିଲେ । ଆଜି ଗାଁକୁ ଫେରିବା ପରେ ଗାଁ ରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି ହରିଜନ ସାହିର ଗୋବର୍ଦ୍ଧନ ଲହରା । ପ୍ରାୟ ୬୦ ବର୍ଷ ପୂର୍ବରୁ ଗୋବର୍ଦ୍ଧନଙ୍କୁ ଏକ ଠିକାଦାର ମଧ୍ୟପ୍ରଦେଶ ରାଜ୍ୟର ହୁରସିଂଗାବାଦ୍ ଜିଲ୍ଲା ବାଣାପୁର ନେଇଯାଇଥିଲା । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଦୀର୍ଘ ବର୍ଷ କୌଣସି ସନ୍ଧାନ ନ ପାଇ ତାର ମୃତ୍ୟୁ ହୋଇଥିବ ଭାବିଥିଲେ । ଗୋବର୍ଦ୍ଧନ ବାଣାପୁରରେ ପହଞ୍ଚିବା ପରେ ସେଠାରେ କାମ କରିଥିଲେ, ହେଲେ କମ ମଜୁରୀ ମିଳିବାରୁ କାମ ଛାଡି ବିନା ଟିକେଟରେ ଟ୍ରେନରେ ଚଢ଼ି ଗାଁକୁ ଫେରି ଆସୁଥିଲେ । ଅଧା ରାସ୍ତାରେ ଟିଟିଆଇ ତାଙ୍କୁ ଧରି ନାଗପୁର ଷ୍ଟେସନରେ ଓହ୍ଲାଇ ଦେଇଥିଲେ ।
୧୫ ଦିନ ଷ୍ଟେସନରେ ପଡ଼ିରହିବା ପରେ କିଛି ଲୋକ ତାଙ୍କୁ ପାଗଳ ବୋଲି ଭାବି ପାଗଳଖନାରେ ଭର୍ତି କରିଦେଇଥିଲେ । କିନ୍ତୁ ସେ ପାଗଳ ନୁହେଁ ବୋଲି ଜାଣିବା ପରେ ସେଠାରୁ କାଢ଼ି ତାଙ୍କୁ ଏକ ହୋଟେଲରେ ଛାଡ଼ିଥିଲେ । ସେଠାରେ ସେ କାମ କରି ରହି ଗଲେ, ଆଉ ଘରକୁ ଫେରି ନ ଥିଲେ । ଦୀର୍ଘ ୬୦ ବର୍ଷ ପରେ ତାଙ୍କର ପରିବାର ଲୋକଙ୍କୁ ମନେ ପକାଇ ସେ ଗାଁକୁ ଫେରିଛନ୍ତି। ଫେରିବା ସମୟରେ ସେ ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ବାଇଁ ଓ ଦୁଇ ନାତିଙ୍କୁ ସାଙ୍ଗରେ ନେଇ ଫେରିଛନ୍ତି । ଗାଁ ଲୋକେ ତାଙ୍କୁ ବନ୍ଦାପନା କରି ପାଦ ଧୋଇ ଫୁଲମାଳ ଦେଇ ସ୍ବାଗତ କରିଥିଲେ । ବହୁ ବର୍ଷ ପରେ ଗୋବର୍ଦ୍ଧନ ଗାଁକୁ ଫେରି ଆସୁଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ଦେଖି ତାଙ୍କ ଭଉଣୀଙ୍କ ସମେତ ସମସ୍ତ ପରିବାର ବର୍ଗ ଓ ଗ୍ରାମବାସୀ ବେଶ ଖୁସି ଅନୁଭବ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/6pm-5-1.jpg)