ଘରର ରୋଜଗାରିଆ ମଣିଷ ରୋଗଗ୍ରସ୍ତ । କ୍ୟାନ୍ସରରେ ପୀଡିତ ମୋହନା କାମିଲିଗୁଡାର ମଙ୍ଗୁଳୁ ମଲ୍ଲିକ । ଅଭାବ ଅନଟନ ଭିତରେ ହୋଇପାରୁନି ଚିକିତ୍ସା

41

କନକ ବ୍ୟୁରୋ: ପରିବାର ଉପରେ ଦୁଃଖର ପାହାଡ । ଘରର ରୋଜଗାରିଆ ଲୋକ କ୍ୟାନ୍ସର ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛି । ଅଭାବ ଅନଟନ ଭିତରେ ଜୀଉଁଥିବା ପରିବାର ପେଟକୁ ମୁଠାଏ ଖାଇବା ଯୋଗାଡ କରିପାରୁନି । ଗଜପତି ଜିଲ୍ଲା ମୋହନା କାମିଲିଗୁଡାର ମଙ୍ଗୁଳୁ ମଲ୍ଲିକ । ଦୀର୍ଘ ବର୍ଷ ହେଲା କ୍ୟାନ୍ସରରେ ପୀଡିତ ହୋଇଥିବା ବେଳେ ଅଭାବ ଯୋଗୁ ଚିକିତ୍ସା ହୋଇପାରୁନି ।

ମଙ୍ଗୁୂଳୁଙ୍କ କ୍ୟାନ୍ସର ଚିହ୍ନଟ ହେବା ପରେ ତାଙ୍କୁ ଡାକ୍ତର ବ୍ରହ୍ମପୁର ମେଡିକାଲରୁ ଏସସିବି ଚିକିତ୍ସା ପାଇଁ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ଚିକିତ୍ସା ସମୟରେ ଗୋଡ କାଟିବାକୁ କହିଥିବାରୁ ସେ ସେଠାରୁ ଫେରି ଆସିଥିଲେ । ତା ପରେ କିଛି ଅର୍ଥ ଯୋଗାଡ କରି ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଉଥିଲେ । ଅର୍ଥ ସରିଯିବାରୁ ଏବେ ଚିକିତ୍ସା କିଭଳି ହେବ ସେ ନେଇ ଚିନ୍ତାରେ ପଡିଛି ପୂରା ପରିବାର । କିଛି ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ମଙ୍ଗୁଳୁଙ୍କ ପରିବାର ।

ଅଭାବ ଭିତରେ ରହୁଥିବା ମଙ୍ଗୁଳୁଙ୍କ ପରିବାର ପାଇଁ ଖାଇବାକୁ ମୁଠାଏ ସ୍ୱପ୍ନ ପାଲଟିଛି । ଏପରିକି ତାଙ୍କ ସ୍ତ୍ରୀ ଯାହା ମୂଲ ଲାଗି ଆଣୁଛନ୍ତି ତାହା ବି ନିଅଣ୍ଟ । ଖାଇବାକୁ ନଥିବା ବେଳେ ମଙ୍ଗୁଳୁଙ୍କ କିଭଳି ଚିକିତ୍ସା ହେବ ସେ ନେଇ ଚିନ୍ତା ବଢୁଛି । ଘରେ ସାନପୁଅ ମଧ୍ୟ ଠିକ୍ ଭାବେ ଚାଲିପାରୁନି । ସେପଟେ ସମସ୍ୟା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଯାହା ସହଯୋଗ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।

ଯନ୍ତ୍ରଣାରେ ଜର୍ଜରିତ ହୋଇ ଜୀବନ କାଟୁଥିବା ମଙ୍ଗୁଳୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ କରାଯାଇପାରିଲେ ପୁରା ପରିବାର ଉପକୃତ ହୋଇପାରିବ ।