ମୋହନା ପାଇଁ ମୁହାଁମୁହିଁ । ଗଡ଼ ଫେରିପାଇବାକୁ କଂଗ୍ରେସର କସରତ, ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦରେ ବିଜେଡି-ବିଜେପି ।

115

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ନିର୍ବାଚନୀ ହାୱା । ଏପରିକି ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ଣତା ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆଉ ଏହି ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ଚାଲିଛି ଛକାପଞ୍ଝା । ବିଜୟ ତିଳକ ପିନ୍ଧିବାକୁ ଶାସକ ବିଜେଡ଼ି, କ˚ଗ୍ରେସ ଓ ବିଜେପି ଦଳରୁ ଆଶାୟୀ ପ୍ରାର୍ଥୀମାନଙ୍କ ଭିଡ଼ ଦେଖାଯାଇଥିବା ବେଳେ ଟିକଟ ପାଇବା ଆଶାରେ ନିଜ ନିଜ ସ୍ତରରେ ଲବି ଆରମ୍ଭ କରି ଦେଇଛନ୍ତି । ତେଣୁ ଏହାକୁ ନେଇ ଏବେ ଦଳୀୟ ସୁପ୍ରିମୋଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ମୋହନା ନିର୍ବାଚନମଣ୍ଡଳୀରେ ଗତ ୧୯୬୧ ମସିହାରୁ ୨୦୧୪ ମଧ୍ୟରେ ୧୩ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୬ ଥର କ˚ଗ୍ରେସ, ଜନ କ˚ଗ୍ରେସ ଓ ଉତ୍କଳ କ˚ଗ୍ରେସ ଦଳର ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିବାବେଳେ ୫ଥର ଜନତା ଦଳ ଓ ବିଜେଡି ବିଜୟ ହୋଇଛି । ସେହିଭଳି ଗତଥରର ବିଜେଡ଼ି, କ˚ଗ୍ରେସ ଓ ବିଜେପି ପାଇଥିବା ଭୋଟ ହାର ଦେଖିଲେ ପ୍ରାୟ ସମସ୍ତେ ଅଳ୍ପ ବହୁତରେ ସମାନ ସ୍ଥିତିରେ ରହିଥିବା କୁହାଯାଇପାରେ। ତେବେ ଟିକଟ ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ବାସ୍ତବ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ସବୁଠାରୁ ରୋଚକ ବିଷୟ ହେଲା ଯେ, ୨୦୧୪ ନିର୍ବାଚନରେ ବିଜେଡ଼ିର ବାସନ୍ତୀ ମଲ୍ଲିକ ମାତ୍ର ୧୧୫ ଖଣ୍ଡ ଭୋଟରେ କ˚ଗ୍ରେସର ପ୍ରାର୍ଥୀ ଦାଶରଥୀ ଗମାଙ୍ଗଙ୍କ ଠାରୁ ବିଜୟ ଲାଭ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଟିକଟ ଦେବା ଉପରେ ଗୁରୁତ୍ବ ଦେଉଥିବାରୁ ସେ ଟିକଟ ପାଇବାକୁ ଆଶା ରଖିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଦଳୀୟ ଗୋଷ୍ଠୀ କନ୍ଦଳରେ ଏଠାରେ ମୁଣ୍ଡ ଟେକୁଥିବା ଶୁଣିବାକୁ ମିଳୁଛି । ଏହି ଆସନରେ ବିଜେଡ଼ି ଟିକଟ ପାଇବାକୁ ଗଜପତି ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ ପରିଷଦର ଅଧ୍ୟକ୍ଷ ଅର୍ନ୍ତଯ୍ୟାମୀ ଗମା˚ଗ, ଭୁବନେଶ୍ବର ସଚିବାଳୟରେ କାର୍ଯ୍ୟରତ ମୋହନା ଅଞ୍ଚଳର ବରିଷ୍ଠ ଓଏଏସ ଅଧିକାରୀ ବାଳମୁକୁନ୍ଦ ଭୂୟାଁ ମଧ୍ୟ ବହୁଦିନ ହେଲା ଲବି ଚଳାଇଛନ୍ତି । କେବଳ ସବୁଜ ସଙ୍କେତ ମିଳିଲେ ଚାକିରିରୁ ଅବସର ଗ୍ରହଣ କିମ୍ବା ଇସ୍ତଫା ଦେଇ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିବେ ବୋଲି କୁହାଯାଉଛି ।

ସେପଟେ ଗତ ନିର୍ବାଚନରେ ବିଜେଡିକୁ କାଣ୍ଟେ କା ଟକ୍କର ଦେଇଥିବା କ˚ଗ୍ରେସ ଦଳରୁ ଦାଶରଥୀ ଗମାଙ୍ଗ ଟିକଟ ଦୌଡ଼ରେ ଆଗରେ ରହିଛନ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଠାରୁ ମାତ୍ର ୧୧୫ ଖଣ୍ଡ ଭୋଟ୍ରେ ପରାଜିତ ହୋଇଥିଲେ। ସେହି ଦୃଷ୍ଟିରୁ ଦାଶରଥୀ ଆଉଥରେ ଟିକଟ ପାଇବାକୁ ଆଶା ରଖିଛନ୍ତି । ସେହିଭଳି ଆଦିବାସୀ ନେତା ଜହ୍ନ ଦଳବେହେରାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଏବେ ଦେଖିବାର କଥା କଂଗ୍ରେସ ରାଜ୍ୟ ନେତୃବୃନ୍ଦଙ୍କୁ କିଏ ଖୁସି ପାରି ଟିକେଟ୍ ହାତାଉଛି ।

ଶାସକ ବିଜେଡିକୁ ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଜୟ ହୋଇ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବିଜେପି ମଧ୍ୟ ସଜବାଜ ଆରମ୍ଭ କରିଛି । ତେଣୁ ଟିକଟ ଲବିରେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ । ଆଶାୟୀଙ୍କ ମଧ୍ୟରେ ମହେନ୍ଦ୍ରଗଡ଼ ସରପଞ୍ଚ ବୀର ଭାସ୍କର ପାଇକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ ଏବ˚ ପୂର୍ବତନ ବିଧାୟକ ଭରତ ପାଇକ ରହିଥିବା ଜୋରଦାର ଚର୍ଚ୍ଚା ହେଉଛି । ନବୀନଙ୍କ ହାୱାକୁ ଅଟକାଇବା ପାଇଁ ମୋଦି-ଶାହାଙ୍କ ମନ୍ତ୍ରକୁ ଆୟ୍ରୁଧ କରିବାକୁ ରଣନୀତି କରିଛନ୍ତି ବିଜେପିର ଆଶାୟୀ ପ୍ରାର୍ଥୀ ।