କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୁଖ୍ୟମନ୍ତ୍ରୀ ରେସରେ ଅନେକ ନାଁ ସାମ୍ନାକୁ ଆସୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରି ମୋହନ ଯାଦବ ଏଥିରେ ବାଜି ମାରିଛନ୍ତି । ବିଜେପିର ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କୁ ସର୍ବସମ୍ମତି କ୍ରମେ ନେତା ଭାବେ ଘୋଷଣା କରାଯାଇଛି । ଏହାସହ ମଧ୍ୟପ୍ରଦେଶରେ ପୁଣିଥରେ ଶିବରାଜ ମୁଖ୍ୟମନ୍ତ୍ରୀ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

Advertisment

ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଥିବା ବେଳେ ଛତିଶଗଡ ଭଳି ୨ ଉପ-ମୁଖ୍ୟମନ୍ତ୍ରୀ ଫର୍ମୁଲା ଆପଣାଇଛି ବିଜେପି । ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ରାଜେଶ ଶୁକ୍ଳା ଓ ଜଗଦୀଶ ଦେବଡା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେହିଭଳି ଅନୁଭବୀ ନେତା ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି ଭାବେ ଦେଖିବାକୁ ମିଳିବ । ଏହାପୂର୍ବରୁ ନରେନ୍ଦ୍ର ସିଂ ତୋମାର ମୁଖ୍ୟମନ୍ତ୍ରୀ ରେସରେ ରହିଥିଲେ । କିନ୍ତୁ ରାଜନୈତିକ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଗୃହର ସୁପରିଚାଳନା ପାଇଁ ତୋମାରଙ୍କୁ ବାଚସ୍ପତି ଭାବେ ବାଛିଛନ୍ତି ବିଜେପି ବିଧାୟକ ।