ନବୀନ ସରକାରର ଗୁମର ଖୋଲିଲେ ମୋହନ: ଯୋଜନା କରିଥିଲେ, ବଜେଟ ନଥିଲା

ନବୀନ ସରକାରର ଗୁମର ଖୋଲିଲେ ମୋହନ: ଯୋଜନା କରିଥିଲେ, ବଜେଟ ନଥିଲା

କନକ ବ୍ୟୁରୋ: ସାମ୍ନାକୁ ଆସିଲା ନବୀନ ସରକାରଙ୍କ ଯୋଜନା ଗୁଡିକର ସତ। ନିର୍ବାଚନ ପୂର୍ବରୁ ଓଡିଶା ବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଅନେକ ଯୋଜନା କରିଥିଲେ ତତ୍କାଳୀନ ବିଜେଡି ସରକାର। ହେଲେ ଏବେ ତାର ଅସଲ ଚିତ୍ର ସାମ୍ନାକୁ ଆସିଛି। ନିର୍ବାଚନ ପୂର୍ବରୁ ବର୍ଷକ ମଧ୍ୟରେ କରାଯାଇଥିବା ଏକାଧିକ ଯୋଜନା ପାଇଁ ହୋଇନଥିଲା ବ୍ୟୟ ବରାଦ। ଅର୍ଥାତ୍ ବିନା ବଜେଟ୍ରେ ଯୋଜନା ଦେଖାଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ପୂର୍ବ ସରକାର।

ନିର୍ବାଚନ ପୂର୍ବରୁ ତତ୍କାଳୀନ ନବୀନ ସରକାର ମାଳ ମାଳ ଯୋଜନା ଘୋଷଣା କରିଥିଲେ। ୨୦୨୩ ଜାନୁଆରୀ ଠାରୁ ୨୦୨୪ ଫେବ୍ରୁଆରୀ ପର୍ଯ୍ୟନ୍ତ, ଗୋଟିଏ ବର୍ଷରେ ନବୀନ ସରକାର ପ୍ରାୟ ୧୪୦ଟି ଯୋଜନା ଓ ପ୍ରକଳ୍ପ ଘୋଷଣା କରିଥିଲେ। ବିଜେପି ବିଧାୟକ ଅମର ନାୟକଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରୁ ସ୍ପଷ୍ଟ ହେଉଛି, ଅନେକ ଯୋଜନା ବିନା ବଜେଟ ବ୍ୟୟ ବରାଦରେ ଘୋଷଣା କରାଯାଇଥିଲା । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି, ବହୁ ଚର୍ଚ୍ଚିତ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପାଇଁ କୌଣସି ବ୍ୟୟ ବରାଦ ହୋଇନଥିଲା।

ନିର୍ବାଚନୀ ବର୍ଷରେ ନବୀନ ଯେଉଁଭଳି ଢ଼ଙ୍ଗରେ ଯୋଜନା ନେଇ ଘୋଷଣା କରି ଚାଲିଥିଲେ, ସେତେବେଳେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ସବୁ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଏତେ ଟଙ୍କା ଆସିବ କେଉଁଠୁ ସେ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଆଉ ଏବେ ସେହି ସବୁ ଘୋଷଣାର ଗୁମର ଖୋଲିଛନ୍ତି ନୂଆ ସରକାର।
ନବୀନ ସରକାର ବିନା ବ୍ୟୟବରାଦରେ ଯୋଜନା ଘୋଷଣା କରିଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ତତ୍କାଳୀନ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ।

ବ୍ୟୟ ବରାଦ ନକରି ଯୋଜନା ଘୋଷଣା ହେଉଥିଲା ଓ ନିର୍ବାଚନ ପରେ ସେଗୁଡିକ ବନ୍ଦ ହୋଇ ଯାଉଥିଲା। କିନ୍ତୁ ଏହା ସାମନାକୁ ଆସୁନଥିଲା। କିନ୍ତୁ ଏଥର ବିଜେଡି ନିର୍ବାଚନ ହାରିବା ପରେ ବିଧାନସଭାରେ ନବୀନ ସରକାରର ଗୁମର ଖୋଲିଛନ୍ତି ମୋହନ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe