ଆଜି ଓଡ଼ିଶାକୁ ମିଳିବ ନୂଆ ସରକାର । ଅପରାହ୍ନରେ ମୋହନ ମାଝୀଙ୍କ ସରକାରର ଶପଥ ଗ୍ରହଣ । ଭୁବନେଶ୍ୱର ଜନତା ମୈଦାନରେ ଭବ୍ୟ ଆୟୋଜନ ।

143

କନକ ବ୍ୟୁରୋ: ଆଜି ଓଡ଼ିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେପି ସରକାରର ଶୁଭାରମ୍ଭ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ । ଅପରାହ୍ନ ୪ଟା ୫୫ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛିି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଓ ଆକଳନ ପରେ ମୋହନ ମାଝୀଙ୍କ ଉପରେ ବିଜେପି ବିଧାୟକମାନେ ଓ କେନ୍ଦ୍ରୀୟ ନେତୃତ୍ୱ ଭରସା କରିଛନ୍ତି । ସେ ଆଜି ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଢ଼ିବାକୁ ଯାଉଥିବା ବେଳେ ମୋହନ ମାଝୀ ହୋଇଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତା ଥିଲେ । କିନ୍ତୁ ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁରେ ମୋହର ବାଜଥିଲା । ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ନିର୍ବାଚିତ ବିଧାୟକ ଏବଂ ସାଂସଦମାନଙ୍କୁ ନେଇ ବୈଠକ ହୋଇଥିଲା । ଏହାପରେ ମୋହନ ମାଝୀଙ୍କ ନାମରେ ମୋହର ବାଜିଥିଲା । ବିଧାନସଭାକୁ ସେ ମୋଟ୍ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମେଣ୍ଟ ସରକାର ସମୟରେ ସରାକାରୀ ଦଳ ଉପ ମୁଖ୍ୟ ସଚେତକ ମୋହନ ମାଝୀ ଥିଲେ । ସେହିପରି ରାଜନୀତିରେ ପାଦ ଥାପିବା ପୂର୍ବରୁ ମୋହନ ମାଝୀ ଶିଶୁ ମନ୍ଦିରର ଗୁରୁଜୀ ଥିଲେ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିମାପଡାର ବିଧାୟିକା ପ୍ରଭାତୀ ପରିଡା ଏବଂ ପାଟଣାଗଡର ବିଧାୟକ କେ.ଭି ସିଂଦେଓ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।