ମରୁଡି ମୁକାବିଲାରେ ସରକାର ଫେଲ । ଖୁବଶୀଘ୍ର ମରୁଡି ଘୋଷଣା କରାଯାଉ, ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ।

179

କନକ ବ୍ୟୁରୋ : ମରୁଡ଼ି ସ୍ଥିତି ନେଇ ସରକାର ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବୀ ପ୍ରସ୍ତାଵ ଆଲୋଚନାରେ ଭାଗ ନେଇ ମୋହନ ମାଝୀ କହିଛନ୍ତି ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟଜନକ । ପ୍ରକୃତିକୁ ଦୋଷ ଦେଲେ ହେବନି ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ ।

ଉଠା ଜଳସେଚନ କାର୍ଯ୍ୟକ୍ଷମ ନାହିଁ, ଜଳାଶୟ ଗୁଡିକ ଶୁଖିଗଲାଣି । ସରକାର ଜଳସେଚନରେ ଫେଲ ମାରିଛନ୍ତି । ବିଜେପି ପକ୍ଷରୁ ୪ ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିକି ଆସିଛୁ । ଏହି ସମୟରେ ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଆମେ ଦେଖିବାକୁ ପାଇଛୁ ।କେତେଟା ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହୋଇଛି ତାହାର ହିସାବ ସରକାର ରଖନ୍ତୁ ।

ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ସରିଲାଣି । ତେଣୁ ମରୁଡ଼ି ଘୋଷଣା କରାଯାଇ ଏଥିପାଇଁ ଚାଷୀଙ୍କ ଲାଗି ତୁରନ୍ତ ପ୍ୟାକେଜ ଘୋଷଣା କରନ୍ତୁ ସରକାର । ରାଜ୍ୟରେ ନଦୀ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଟ୍ୟାକ୍ସ ଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ମୋହନ ମାଝୀ ।
ଏହାବାଦ୍ କଂଗ୍ରେସ ଉପରେ ମଧ୍ୟ ବର୍ଷିବା ସହ ମୋହନ କହିଛନ୍ତି, ମୁଲତବୀ ପ୍ରସ୍ତାବ ଅନୁଯାୟୀ ଆଲୋଚନା ହୋଇଥାନ୍ତା, କିନ୍ତୁ କଂଗ୍ରେସ ହଙ୍ଗମା କରୁଛି, ଆଲୋଚନା କରିବାକୁ ଦେଉନାହିଁ । ଆଉ ଏଥିରେ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ଚାଷୀ ସମସ୍ୟା ବଢିଗଲାଣି ଏହା ସତକଥା । ପୂରା ଓଡ଼ିଶା ବୋଲି ଚାଷୀଙ୍କ ଦୁଃଖଦୁର୍ଦ୍ଦଶା ଦେଖିଛି ବିଜେପି । କଂଗ୍ରେସ ଆଗେଇ ଆସିବା ସହ ଆଲୋଚନାରେ ଭାଗ ନେଉ । କିନ୍ତୁ ଏଭଳି ନକରି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କଂଗ୍ରେସ କାନ୍ଦୁଛି ବୋଲି କହିଛନ୍ତି ମୋହନ ।