ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ : ବିରୋଧୀ ଦଳ ମୁଖ୍ୟ ସଚେତକ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଘଟଣାର ହେଉ ସିବିଆଇ ତଦନ୍ତ ।

199

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଂକା ରଖିବା ପ୍ରସଙ୍ଗରେ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ମନ୍ତ୍ରୀ ଗୃହରେ କହିଛନ୍ତି ମାର୍ଚ ୫ ତାରିଖ ଯାଏଁ ୟେସ୍ ବ୍ୟାଙ୍କ ସହିତ ଆର୍ଥିକ କାରବାର ନକରିବାକୁ ନେଇ କୌଣସି ସୂଚନା ଆସିନଥିଲା । ଶ୍ରୀମନ୍ଦିରର ଟଙ୍କା ରଖିବାକୁ ମୋଟ୍ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । କିନ୍ତୁ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ପ୍ରସ୍ତାବ ଦେଇଥିବାରୁ ଜଗନ୍ନାଥଙ୍କ ଟଙ୍କା ଏଥିରେ ରଖାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଆଜି ବିଧାନସଭାରେ ଏନେଇ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଚାଟାର୍ଡ ଆକାଂଉଟାଂଟ ବିଜୟ ସାହୁଙ୍କୁ ଟାର୍ଗେଟ କରିଥିଲେ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ କରିଥିଲେ, ଜଗନ୍ନାଥଙ୍କୁ କାଙ୍ଗାଳ କରିବା ପ୍ରୟାସରେ ଲାଗିଛନ୍ତି ସରକାର । ଭକ୍ତଙ୍କ ଆବେଗ ସହ ଖେଳାଯାଉଛି । ଜଗନ୍ନାଥଙ୍କ ସମ୍ପତି ଲୁଟିବାକୁ ଉଦ୍ୟମ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କିଏ ୟେସ୍ ବ୍ୟାଙ୍କରେ ଟଙ୍କା ରଖିଲା ମନ୍ତ୍ରୀ ଗୃହରେ ଉତର ରଖିବାକୁ ମୋହନ ମାଝି ଦାବି କରିଥିଲେ । ଆରବିଆଇର ଆଳରେ ଅର୍ଥ ବିବାଦରୁ ମୁକୁଳିଵାକୁ ପ୍ରାଣପ୍ରଣେ ଚେଷ୍ଟା ଚଲାଇଛନ୍ତି ସରକାର। ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ମହାପ୍ରଭୁଙ୍କ ଟଙ୍କା ଚଳୁ କରିଛନ୍ତି । ଏପରିକି ବିଜୟ ସାହୁଙ୍କୁ ବି ଟାର୍ଗେଟ କରିଥିଲେ ମୋହନ ମାଝି । ଏହି ଟଙ୍କାର ପ୍ରଦୀପ୍ତ ମହାପାତ୍ର ଓ ବିଜୟ ସାହୁ ୟୁରୋପ ଗସ୍ତ କରିଥିଲେ କି ନାହିଁ ସରକାର ଏହାର ଜବାବ ଦିଅନ୍ତୁ ବୋଲି ଆଲୋଚନା ବେଳେ ଦାବି କରିଥିଲେ ମୋହନ । ଏପରିକି ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ସେ ଦାବି କରିଛନ୍ତି ।