କନକ ବ୍ୟୁରୋ : ଲଗାତାର ୪ ଦିନ ହେବ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏବେ ବିଧାନସଭାରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି । ବିରୋଧୀ ଦଳର କାମ ହେଉଛି ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବା, ଗୃହର ମଧ୍ୟ ଭାଗକୁ ଯାଇ ପ୍ରଦର୍ଶନ କରିବା । କିନ୍ତୁ ସରକାରୀ ଦଳର ମନ୍ତ୍ରୀ, ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ଗୃହକୁ ବନ୍ଦ କରୁଛନ୍ତି । ଜାଣିଶୁଣି ଓ ଯୋଜନାବଦ୍ଧ ଭାବେ ବିଧାନସଭାକୁ ଚଳାଇ ଦେଉନାହାନ୍ତି ଶାସକ ଦଳ ।
୪ ଦିନ ହେବ ଗୃହକାର୍ଯ୍ୟ ଚାଲୁନଥିବା ବେଳେ ବାଚସ୍ପତି ମଧ୍ୟ ସର୍ବଦଳୀୟ ବୈଠକ ଡାକୁନାହାନ୍ତି । ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଯାହାକୁ ଲୁଚାଇ ଦେବାକୁ ଆଲୋଚନା କରୁନାହାନ୍ତି ଶାସକ ଦଳ । ଯେଉଁଥିପାଇଁ ଜାଣିଶୁଣି ଓ ଯୋଜନାବଦ୍ଧ ଭାବେ ବିଧାନସଭାକୁ ଚଳାଇ ଦେଉନାହାନ୍ତି ଶାସକ ଦଳ । ସରକାରଙ୍କ ଟିଆରପି କମିଯାଇଛି, ଜଙ୍ଗଲ ନିଆଁ ଓ ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗକୁ ଲୁଚାଇବା ପାଇଁ ଶାସକ ଦଳ ଏହି ନାଟକ କରୁଛନ୍ତି ବୋଲି କହିଛନ୍ତି ମୋହନ ।
ବିରୋଧୀ ଦଳ ଗୃହକୁ ବନ୍ଦ କରିବାକୁ ଚାହେଁନାହିଁ, ବରଂ ବିଭିନ୍ନ ପ୍ରସଙ୍ଗକୁ ଗୃହର ସାମ୍ନାକୁ ଆଣେ ।ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଛି ଯେଉଁଥିପାଇଁ ଗୃହ ସ୍ୱାଭାବିକ ହେଉ ବୋଲି ସରକାର ଚାହୁଁନାହାନ୍ତି । ଏପରିକି ବାଚସ୍ପତିଙ୍କ ଉପରେ ଚାପ ପଡୁଥିବାରୁ ସେ ମଧ୍ୟ ସର୍ବଦଳୀୟ ବୈଠକ ଡାକୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୋହନ ।