ବିଧାୟକଙ୍କ ଉପରେ ବୋମାମାଡ ପଛରେ ଥିଲା କି ବ୍ୟବସାୟିକ ଶତ୍ରୁତା ? ଖଣି ବିବାଦକୁ ନେଇ ହୋଇଥିଲା କି ଆକ୍ରମଣ ? ହତ୍ୟା ଷଡଯନ୍ତ୍ର ଅଭିଯୋଗ ଆଣିଲେ ମୋହନ ମାଝି ।

175

କନକ ବ୍ୟୁରୋ : କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡର ୨୪ ଘଣ୍ଟା ବିତିଛି । ଏହି ଘଟଣା ପଛରେ ଖଣି ବିବାଦ ଥିବା ସନ୍ଦେହ କରାଯାଉଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ରାଜା ଚକ୍ରଙ୍କୁ ଆକ୍ରମଣ ପାଇଁ ଦାୟୀ କରି ଥାନାରେ ଲିଖିତ ଅଭିଯୋଗ ହୋଇଛି । କେନ୍ଦୁଝରରେ ଖଣିଜ ପଦାର୍ଥକୁ ଲୋଡ କରିବା ଓ ଏଥିରୁ ଟ୍ରକ ପିଛା ଅର୍ଥ ଆଦାୟ କରିବା କିଛି ଲୋକଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ବଡ ମାଧ୍ୟମ ପାଲଟିଛି । ଆଉ ଏହାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ସନ୍ଦେହରେ ତଦନ୍ତ ଜାରି ରହିଛି ।

ବିଧାୟକଙ୍କ ଉପରେ ବୋମାମାଡ ପଛରେ ଥିଲା କି ବ୍ୟବସାୟିକ ଶତ୍ରୁତା ? ଖଣି ବିବାଦକୁ ନେଇ ହୋଇଥିଲା କି ଆକ୍ରମଣ ? ହତ୍ୟା ଷଡଯନ୍ତ୍ର ଅଭିଯୋଗ ଆଣିଲେ ମୋହନ ମାଝି । କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମା ମାଡ ଘଟଣା ପଛରେ ଖଣି ବିବାଦ ଥିବା ସନ୍ଦେହ କରାଯାଉଛି । ଗନ୍ଧମାର୍ଦ୍ଦନ ଓଏମସି ଖଣିର ଲୋଡିଙ୍ଗ ଏଜେନ୍ସି ବିବାଦକୁ ନେଇ ମୋହନଙ୍କ ସମର୍ଥକମାନଙ୍କୁ ରାଜା ଚକ୍ରଙ୍କ ସମର୍ଥକମାନେ ମାଡ ମାରିଥିଲେ । ଆଉ ଏବେ ରାଜାଙ୍କ ନିର୍ଦ୍ଦେଶରେ ବିଧାୟକଙ୍କ ଗାଡି ଉପରେ ବୋମା ମାଡ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗକୁ ମିଥ୍ୟା ଆରୋପ ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳର ନେତା ରାଜା ଚକ୍ର ।

ଗନ୍ଧମାର୍ଦ୍ଦନ ତ୍ତ୍ୱଓଏମସି ଖଣିରେ ଦୈନିକ ୪୦ହଜାରରୁ ଉଦ୍ଧ୍ୱର୍ ଟନ ମାଲ୍ ପରିବହନ ହୋଇଥାଏ । ଆଉ ଟନ ପିଛା ୫୦ଟଙ୍କା ହାରରେ ପ୍ରତି ଦିନ ୨୦ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଥାନ୍ତି ଲୋଡିଂ ଏଜେନ୍ସୀ । ସେହି ଅର୍ଥ ଖଣି ଅଂଚଳର ପ୍ରଭାବିତ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ କରିବାକୁ ସୋସାଇଟି ଜରିଆରେ ଚୁକ୍ତି ମଧ୍ୟ ହୋଇଛି । ହେଲେ ଏହି ଅର୍ଥ ବିକାଶ କାମରେ ଖର୍ଚ୍ଚ ହେବା ବଦଳରେ ପ୍ରଭାବଶାଳୀଙ୍କ ପକେଟକୁ ଯାଉଥିବା ଚର୍ଚ୍ଚା ହେଉଛି । ୧୫ ବର୍ଷ ହେଲା ଲୋଡିଂ ଏଜେନ୍ସୀ ଶାସକ ଦଳ ନେତାଙ୍କ କବଜାରେ ରହିଛି । ଆଉ ଏବେ ବିଜେପି ବିଧାୟକ ଏଥିରେ ପ୍ରବେଶ କରିବାକୁ ଗୋଟିଚଳାଉଥିବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

ପ୍ରତିଦିନ ଏକାଧିକ ଖଣିରୁ ଉତୋଳନ ହେଉଥିବା ଖଣିଜକୁ ହଜାର ହଜାର ଟ୍ରକ ଜରିଆରେ ପାରାଦୀପକୁ ପରିବହନ କରାଯାଏ । ଏଥିରୁ କୋଟି କୋଟି ଟଙ୍କା ରୋଜଗାର କରିବାକୁ କିଛି ବ୍ୟକ୍ତି ବାହାର କରିଛନ୍ତି ମଝି ବାଟ । ଟ୍ରକ ପିଛା ଆଦାୟ ହେଉଛି ଟଙ୍କା । ଯିଏ ଖିଲାପ୍ କଲା ତାର ପରିବହନ ବାଟ ବନ୍ଦ ହେଉଛି । କୁହାଯାଉଛି, ସବୁ ଜାଣି ପ୍ରଶାସନ ମଧ୍ୟ ନୀରଦ୍ରଷ୍ଟା ସାଜିଛି ।

ମୋହନ ମାଝିଙ୍କ ଗାଡି ଉପରେ ବୋମା ମାଡ ଘଟଣାକୁ ୨୪ ଘଂଟା ବିତିଲାଣି । କିନ୍ତୁ ଏହି ଘଟଣାରେ କାହାରିକୁ ଗିରଫ କରିପାରି ନାହିଁ କେନ୍ଦୁଝର ପୁଲିସ । ତେବେ ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇଛି ଓ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କେନ୍ଦୁଝର ଏସପି କହିଛନ୍ତି ।