ଶୂନ୍ୟକାଳରେ ଅର୍ପଣ ରଥ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି । ମୋହନ ମାଝୀ କହିଲେ, କାହା ନିର୍ଦ୍ଦେଶରେ ବାହାରିଥିଲା ଅର୍ପଣ ରଥ । ସ୍ପଷ୍ଟୀକରଣ ଦିଅନ୍ତୁ ସରକାର, ବାଚସ୍ପତିଙ୍କ ରୁଲିଂ ପାଇଁ କଲେ ଦାବି ।

90

କନକ ବ୍ୟୁରୋ : ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା ?କାହା ନିର୍ଦ୍ଦେଶରେ ଶ୍ରୀ ମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି ହେଲା ? ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ପାଇଁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ।

ସେହିଭଳି ମୋହନ ମାଝୀ କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରାଇଛନ୍ତି । ଉଷୁନା ଚାଉଳ ଅର୍ପଣ ରଥରୁ ମିଳିଲା । ଯାଞ୍ଚ କମିଟି ସଦସ୍ୟ ଦାମ ମହାସୁଆର ନିଜେ କହିଛନ୍ତି ଉଷୁନା ଚାଉଳ ମିଳିଛି । ବାର ମିଶା ଚାଉଳ ଶ୍ରୀମନ୍ଦିରକୁ ଗଲା କେମିତି । ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି । କେତେ ଅର୍ଥ ସଂଗ୍ରହ ହେଲା ତାର ହିସାବ ନାହିଁ । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ, ଯାହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ । ଗଜପତି ମହାରାଜ ବି କହିଛନ୍ତି ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ । ମୁଖ୍ୟମନ୍ତ୍ରୀ ଗତକାଲି ଏବାବଦରେ ପଦୁଟିଏ କହିଲେନି । ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।