ଓଡ଼ିଶାରେ ଆରମ୍ଭ ହେଲା ମୋହନ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ

426

କନକ ବ୍ୟୁରୋ: ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାସହ ଓଡ଼ିଶାରେ ଆରମ୍ଭ ହୋଇଛି ମୋହନ ମାଝୀଙ୍କ ସରକାର । ତାଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଏବଂ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀଙ୍କ ପରେ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେଇଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରଥମେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଶପଥ ନେଇଥିଲେ । କୁଚିଣ୍ଡା ବିଧାୟକ ରବି ନାୟକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା ଏବଂ ମୋରଡ଼ା ବିଧାୟକ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।୮ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ମୋହନଙ୍କ ଟିମରେ ରାଷ୍ଟ୍ରମନ୍ତ୍ରୀ ଭାବେ ୫ ଜଣ ଶପଥ ନେଇଛନ୍ତି । ଏହି ୫ ଜଣ ସ୍ୱାଧୀନ ଭାବେ ସେମାନଙ୍କ ଦାୟିତ୍ୱ ତୁଲାଇବେ । ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଓ ପାରାଦୀପ ବିଧାୟକ ସଂପଦ ସ୍ୱାଇଁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।

ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଭବ୍ୟ ଶପଥ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ବିଜେପି ଶାସିତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ସାମିଲ ହୋଇଥିଲେ । ନିମନ୍ତ୍ରଣ ରକ୍ଷା କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।