ଆରମ୍ଭ ହେଲା ମୋହନଙ୍କ ଦରବାର: ଭାଙ୍ଗିଲା ବର୍ଷ ବର୍ଷର ପାଚେରୀ

218

କନକ ବ୍ୟୁରୋ: ସରକାରର ମୁଖିଆ ଏବଂ ଜନତାଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ମୋହନ ସରକାର ଆରମ୍ଭ କଲେ ଜନତା ଦରବାର । ଦୀର୍ଘବର୍ଷ ପରେ ଲୋକମାନେ ଏବେ ନିଜ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜଣାଉଛନ୍ତି । ଆଜି ଏହି ଶୁଣାଣି ଆରମ୍ଭ ହୋଇଛି । ଆଉ ଲୋକେ ମଧ୍ୟ ନିଜ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଭିଡ ଜମାଇଛନ୍ତି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି ଅଧଘଂଟା ପୂର୍ବରୁ ଆରମ୍ଭ ହୋଇଥିଲା ପଂଜିକରଣ । ଆଜି ଗୋଟିଏ ଦିନରେ ପାଖାପାଖି ୧୫ ଶହ ପଂଜୀକରଣ ହୋଇଥିବା ଜଣାପଡିଛି । ଆଗକୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ସମସ୍ୟାର ଶୁଣାଣି ହେବ ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଭିଡ଼ ଦର୍ଶାଉଛି, ଲୋକ କେତେ ସମସ୍ୟାରେ ପଡ଼ିଛନ୍ତି । ରାଜ୍ୟର ଶାସନ ମୁଖ୍ୟଙ୍କୁ ନିଜ ଦୁଃଖ କାହାଣୀ ଶୁଣାଇବାକୁ ଭିଡ଼ ଜମାଇଛନ୍ତି । ଉପାନ୍ତରୁ ଉପକୂଳ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅସହାୟ ବ୍ୟକ୍ତି ନିଜ ନିଜର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଆଗରେ ଜଣାଇଛନ୍ତି । ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ନୂଆ ସରକାର ଆସିବା ପରେ ଆଜିଠାରୁ ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣୀ । ଏହି ପରମ୍ପରା ପୂର୍ବରୁ ମଧ୍ୟ ଚାଲିଥିଲା, ହେଲେ ଦୀର୍ଘ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଆସୁନଥିଲେ । ସରକାର ବଦଳିବା ପରେ ପୁଣି ଥରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଓ ଜନତାଙ୍କ ମଧ୍ୟରେ ଯେଉଁ ଲୁହାର ପାଚେରୀ ରହିଥିଲା, ତାହା ଆଜି ଭାଙ୍ଗିଯାଇଛି ।

ସକାଳ ୯ଟା ବେଳେ ଅଭିଯୋଗକାରୀଙ୍କ ନାଁ ପଂଜିକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ହେଲେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧଘଂଟା ପୂର୍ବରୁ ଆରମ୍ଭ ହୋଇଥିଲା ପଂଜିକରଣ ।
ସକାଳ ସାଢ଼େ ୮ଟାରୁ ନାଁ ପଞ୍ଜିକରଣ ଆରମ୍ଭ ହୋଇଥିଲା
ପ୍ରାୟ ୧୪୩୫ ଜଣ ପଂଜିକରଣ କରିଥିଲେ
ସକାଳ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ
୫ ଶହରୁ ଅଧିକ ଅଭିଯୋଗ ନିଜେ ଶୁଣିଥିଲେ ମୋହନ ମାଝୀ
ଅନ୍ୟ ସମସ୍ତ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ନିକଟକୁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସମେତ ୬ ଜଣ ମନ୍ତ୍ରୀ ଅଭିଯୋଗ ଶୁଣାଣୀରେ ସାମିଲ ହେଇଥିଲେ ।
ବିଶେଷ କରି ସ୍ୱାସ୍ଥ୍ୟ ସମସ୍ୟା – ଜମିଜମା ବିବାଦ – ଦରମା ଓ ପେନସନ – ପାରବାରିକ ହିଂସା – ବିଭିନ୍ନ ସଂଗଠନ ମୌଳିକ ଦାବି

ନେଇ ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାବୁ ପହଁଚିଥିଲେ ଶହ ଶହ ଲୋକ । ମୁଖ୍ୟମନ୍ତ୍ରୀ କେବଳ ଲୋକଙ୍କ ଅଭିଯୋଗ ଶୁଣିନଥିଲେ, କିପରି ଏହାର ସମାଧାନ ହେବ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଛୋଟ ଘଟଣାକୁ ବଡ଼ କରି ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଥାଏ ବିଜେପି । ଏପଟେ ୨୪ ବର୍ଷର ସରକାର କେତେଥର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଏବେ ନଜର ପକାନ୍ତୁ –
କେମିତି କରିବେ ପଞ୍ଜିକରଣ?
ୱେବସାଇଟ୍ ଖୋଲି

janasunani.odisha.gov.in

ରେ ଲଗ୍ ଇନ୍ କରି ଅଭିଯୋଗ ପାଇଁ ପଂଜିକରଣ କରିପାରିବେ । ସେହିପରି

email : cmo@nic.in

ରେ ମଧ୍ୟ ପଂଜିକରଣ କରିହେବ ।
whatsapp no : ୬୩୭୦୯୫୧୯୩୦
ରେ ମଧ୍ୟ ଅଭିଯୋଗ ଜଣାଇହେବ ।

ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।