କନକ ବ୍ୟୁରୋ: ମମତାଙ୍କୁ ଫୋନ୍ କଲେ ମୋହନ । ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ଯଦିଓ ଆଳୁ ଆସୁଛି କିନ୍ତୁ ଚାହିଦା ପଶ୍ଚିମବଙ୍ଗ ଆଳୁର ରହିଛି। ଆଉ ଆଳୁ ସମସ୍ୟାର ସମାଧାନ ପାଇଁ ଦ୍ୱିତୀୟ ଥର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି।
ପ୍ରାୟ ମାସେ ହେବ ଆଳୁ ଅଭାବ ପାଇଁ ଧନ୍ଦି ହେଉଛି ଓଡ଼ିଶା । ପଶ୍ଚିମବଙ୍ଗର କଟକଣା ହେତୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ବେପାରୀଙ୍କ ପାଖକୁ ଆଳୁ ପହଞ୍ଚୁନି, ଖାଉଟିଙ୍କ ପକେଟ ଫାଙ୍କା ହେଲାଣି। ତେଣୁ ଏହି ଆଳୁ ସଙ୍କଟକୁ ଦୂର କରିବାକୁ ଏବେ ଓଡିଶାର ଲୋକସେବା ଭବନରୁ ପଶ୍ଚିମବଙ୍ଗର ନବାନ୍ନକୁ ଯାଇଛି ଫୋନ୍ କଲ୍ । ଆଳୁ ଯୋଗାଣକୁ ସ୍ୱାଭାବିକ କରିବାକୁ ମମତାଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ମୋହନ ପୂର୍ବରୁ ନୂଆଦିଲ୍ଲୀରେ ମମତାଙ୍କୁ ଭେଟିବା ପରେ ଆଳୁ ଯୋଗାଣ ସ୍ୱାଭାବିକ ହୋଇଥିଲା। ହେଲେ ଏବେ ପୁଣଥିରେ ଆଳୁ ସଙ୍କଟ ଉତ୍କଟ ହେବାରୁ ମମତାଙ୍କ ପାଖକୁ ଫୋନ୍ ବୁଲାଇଛନ୍ତି ମୋହନ ।
- ନୂଆଦିଲ୍ଲୀରେ ଭେଟଘାଟ, ନବାନ୍ନକୁ ଗଲା କଲ
- ମୋହନ କହିଲେ... ହ୍ୟାଲୋ ଦିଦି
- ଆଳୁ ସଙ୍କଟରେ ପଡିବ କି ପୂର୍ଣ୍ଣଚ୍ଛେଦ ?
ଆଳୁର ଚଢାଦର ଖାଉଟିଙ୍କ ପକେଟ ଫାଙ୍କା କରୁଛି। ତେଣୁ ଡିଲରଙ୍କ ଜରିଆରେ ଖାଉଟିଙ୍କୁ ସୁଲଭ ଦରରେ ଆଳୁ ଯୋଗାଉଛନ୍ତି ସରକାର। ଭୁବନେଶ୍ୱର ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି କିଲୋକୁ ଶହେ ଟଙ୍କାରେ ଆଳୁ କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଅନ୍ୟପଟେ ଆଳୁର ଯେପରି କଳାବଜାରୀ ନହେବ ସେଥିପାଇଁ ବିଭିନ୍ନ ହାଟରେ ଅଚାନକ ଚଢାଉ କରୁଛି ଯୋଗାଣ ବିଭାଗ।
ସୂଚନାଯୋଗ୍ୟ ଯେ, ଆଳୁ ସଙ୍କଟକୁ ଦୂର କରିବାକୁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏଯାଏଁ ସ୍ଥିତି ସ୍ୱାଭାବିକ ହୋଇପାରିନି। ଏଭଳି ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ ଆଳୁ ସମସ୍ୟାରେ, କେବେ ପୂର୍ଣ୍ଣଚ୍ଛେଦ ପକାଇବ ତାହା ଉପରେ ନଜର ରହିବ ।
Follow Us