କଂଗ୍ରେସ ମାରିଲା ତୀର । ଭାରତ ଯୋଡ ଯାତ୍ରାର ପ୍ରଭାବ ଏମିତି ଯେ, ଇମାମଙ୍କ ପାଖରେ ପହଞ୍ଚିଗଲେ ଭାଗବତ ।

164

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ କଂଗ୍ରେସ ଭାରତ ଯୋଡ ଅଭିଯାନ ଆରମ୍ଭ କରିଛି । ଆଉ ଏହାର ପ୍ରଭାବ ଏବେ ଶାସକ ବିଜେପି ଉପରେ ପଡିବା ଆରମ୍ଭ ହୋଇଛି ବୋଲି କଂଗ୍ରେସ କହିଛି । ଗୁରୁବାର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଭାରତ ଯୋଡର ପ୍ରଭାବ ଏମିତି ପଡିଲାଣି ଯେ, ଆରଏସଏସର ମୁଖ୍ୟ ମୋହନ ଭାଗବତ ଏବେ ମୁସଲିମ ସମ୍ପ୍ରଦାୟର ଲୋକ ଏବଂ ଇମାମଙ୍କୁ ଭେଟିବା ଆରମ୍ଭ କରିଛନ୍ତି । ଭାଗବତ ଏବେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହେବା ସହ ତ୍ରିରଙ୍ଗା ଧରି ପଦଯାତ୍ରା କରିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । କଂଗ୍ରେସର ଗଣମାଧ୍ୟମ ଓ ପ୍ରଚାର ପ୍ରମୁଖ ପୱନ ଖେଡା ଟ୍ୱିଟ୍ କରି କହିଛନ୍ତି, ଏବେ ଭାରତ ଯୋଡ ଅଭିଯାନକୁ ମାତ୍ର ୧୫ ଦିନ ହୋଇଛି, ଆଉ ବିଜେପି ମୁଖପାତ୍ର ଗଡସେ ମୁର୍ଦ୍ଦାବାଦ କହିବା ଆରମ୍ଭ କଲେଣି ଏବଂ ଭାଗବତ ଇମାମଙ୍କ ପାଖରେ ପହଞ୍ଚିଲେଣି । ଆଗକୁ ଦେଖନ୍ତୁ କଣ ହେଉଛି ।

ସେହିଭଳି କଂଗ୍ରେସ ଦଳର ମୁଖପାତ୍ର ଗୌରବଲ୍ଲଭ କହିଛନ୍ତି, ଭାରତ ଯୋଡ ଯାତ୍ରାକୁ ମାତ୍ର ୨ ସପ୍ତାହ ହୋଇଛି ଏବଂ ଏହାର ଫଳାଫଳ ସାମ୍ନାକୁ ଆସିଲାଣି । ବିଜେପିର ମୁଖପାତ୍ର ଜାତୀୟ ଗଣମାଧ୍ୟମରେ ଗଡସେ ମୁର୍ଦ୍ଦାବାଦ କହୁଥିବା ବେଳେ ଭାଗବତ ଅନ୍ୟ ଧର୍ମର ଲୋକଙ୍କ ଘରକୁ ଯିବା ଆରମ୍ଭ କଲେଣି । ଏହା ହିଁ ତ ଭାରତ ଯୋଡ ଯାତ୍ରାର ପ୍ରଭାବ । ଯେତେବେଳେ ଏହି ଯାତ୍ରା ଶେଷ ହେବ ସେତେବେଳେ ଦେଶରେ ଯେଉଁ ଦ୍ୱେଷ, ବିଭେଦ, ଧର୍ମ ଆଧାରରେ ବିଭାଜନ ସୃଷ୍ଟି କରାଯାଉଛି ତାହାର ମଲମ ଭଳି କାମ କରିବ ।

ଗୌରବଲ୍ଲଭ କହିଛନ୍ତି, ଭଗବତ ଏବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଘଣ୍ଟାଏ ପାଇଁ ସାମିଲ ହୋଇଯାଆନ୍ତୁ ଏବଂ ହାତରେ ତ୍ରିରଙ୍ଗା ଧରି ପଦଯାତ୍ରାରେ ଚାଲନ୍ତୁ । କାରଣ ୫୨ ବର୍ଷ ହେବ ଆପଣ ତ୍ରିରଙ୍ଗା ଧରିନାହାନ୍ତି ତେଣୁ ଏବେ ଧରନ୍ତୁ ଏବଂ ଭାରତକୁ ଯୋଡନ୍ତୁ ।