କନକ ବ୍ୟୁରୋ: ଅଟୋଚାଳକର ପୁଅରୁ ବିଏମଡବ୍ଲ୍ୟୁ କାରର ମାଲିକ । ଆମେ କହୁଛୁ ଭାରତୀୟ ପେସ୍ ବୋଲର ମହମ୍ମଦ ସିରାଜଙ୍କ କଥା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ଫେରିବା ପରେ ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲର ନିଜ ଟଙ୍କାରେ ଏକ ବିଏମ୍ଡବ୍ଲ୍ୟୁ କାର୍ କିଣିଛନ୍ତି । ଏନେଇ ସେ ତାଙ୍କର ସୋସିଆଲ୍ ମିଡିଆ ସାଇଟ୍ ଜରିଆରେ ସୂଚନା ଦେଇଛନ୍ତି ।

Advertisment

ଏଠାରେ ଆମେ କହିରଖୁଛୁ ଯେ, ମହମ୍ମଦ ସିରାଜ ଜଣେ ସାଧାରଣ ପରିବାରରୁ ଆସି ଆଜି ଟିମ୍ ଇଣ୍ଡିଆର ଖେଳାଳି ହୋଇପାରିଛନ୍ତି । ତାଙ୍କ ବାପା ଅଟୋ ଚଳାଇ ତାଙ୍କ ପରିବାର ପୋଷଣ କରୁଥିଲେ । ତାଙ୍କର ସ୍ୱପ୍ନ ଥିଲା ତାଙ୍କ ପୁଅ ଦେଶ ପାଇଁ କ୍ରିକେଟ୍ ଖେଳୁ । ଯାହାକୁ ଆଜି ସତ କରି ଦେଖାଇଛନ୍ତି ମହମ୍ମଦ ସିରାଜ । ହେଲେ ଏହାପୂର୍ବରୁ ହିଁ ସେ ଏବେ ପରଲୋକରେ ।

ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ହିଁ ମହମ୍ମଦ ସିରାଜଙ୍କ ବାପାଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ସମୟରେ ସିରାଜ ଅଷ୍ଟ୍ରେଲିଆରେ ଥିଲେ। ହେଲେ ବାପାଙ୍କ ସ୍ୱପ୍ନ ପୂରା କରିବାକୁ ସେ ଭାରତ ନଆସି ଅଷ୍ଟ୍ରେଲିଆରେ ରହିଥିଲେ । ଏହାପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଜଣା । ଦମଦାର ପ୍ରଦର୍ଶନ ସହ ଟିମ୍ ଇଣ୍ଡିଆ କଙ୍ଗାରୁ ଦଳକୁ ଘାଇଲା କରିବା ସହିତ ଲଗାତାର ତୃତୀୟ ଥର ପାଇଁ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଏହାର ଅଧିକାଂଶ ଶ୍ରେୟ ଯାଇଥିଲା ମହମ୍ମଦ ସିରାଜଙ୍କ ପାଖକୁ । ତାଙ୍କର ଦ୍ରୁତ ବୋଲିଂ ବଳରେ ହିଁ ଦଳ ସିରିଜ୍ କବଜା କରିପାରିଥିଲା ।
ଏହାପରେ ମହମ୍ମଦ ସିରାଜ ଗତ ଗୁରୁବାର ଭାରତ ଫେରିଥିଲେ । ବିମାନ ବନ୍ଦରରୁ ସେ ଘରକୁ ନଆସି ସିଧାସଳଖ ନିଜ ବାପାଙ୍କ କବର ପାଖକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଚହଳ ପକାଇଥିଲା । ଏବେ ସେହି ଅଟୋଚାଳକର ନିଜ କଷ୍ଟ ଉପାର୍ଜିତ ଧନରେ ଦାମୀ ବିଏମଡବ୍ଲ୍ୟୁ କାରର ମାଲିକ ହୋଇପାରିଛି ।