କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ମହମ୍ମଦ ସାମିଙ୍କୁ ଘାତକ ଅବତାର ଦେଖିବାକୁ ମିଳିଛି । ସାମି ୧୮ ରନରେ ୫ ୱିକେଟ ହାସଲ କରିବା ସହ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଏହାସହ ଦିନିକିଆରେ ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ ହାସଲକାରୀ ତାଲିକାରେ ସାମିଲ ହୋଇଛନ୍ତି ସାମି । ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ ହାସଲ କରିବା ପରେ ନିଆରା ଢଙ୍ଗରେ ସେଲିବ୍ରେସନ କରିଥିଲେ ମହମ୍ମଦ ସାମି । ଯାହାକୁ ଦେଖି ଉଭୟ କ୍ରିକେଟପ୍ରେମୀ ଓ ଭାଷ୍ୟକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୱିକେଟ ହାସଲ ପରେ ସାମି ମୁଣ୍ଡରେ ବଲ ବୁଲାଇବାର ଅଭିନୟ କରିଥିଲେ । ଯାହାକୁ ଦେଖି କିଛି ସମୟ ପାଇଁ ସମସ୍ତେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ଆଡକୁ ସାମି ଇଙ୍ଗିତ କରୁଥିବା ଭାବିଥିଲେ । କାରଣ ୫ ୱିକେଟ ଅକ୍ତିଆର କରିବା ସହ ହରଭଜନ ସିଂଙ୍କ ରେକର୍ଡ ଭାଙ୍ଗିଥିଲେ ସାମି । ଏହାପୂର୍ବରୁ ଦିନିକିଆରେ ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ ହାସଲ କରିଥିଲେ ହରଭଜନ । ଦିନିକିଆରେ ହରଭଜନ ୩ ଥର ୫ ୱିକେଟ ହାସଲ କରିଥିବା ବେଳେ ମହମ୍ମଦ ସାମି ୪ଥର ୫ ୱିକେଟ ହାସଲ କରିଛନ୍ତି । ତେଣୁ ସାମିଙ୍କ ସେଲିବ୍ରେସନ ହରଭଜନଙ୍କ ପାଇଁ ଥିଲା ବୋଲି ଦର୍ଶକ ଭାବିଥିଲେ । କିନ୍ତୁ ମ୍ୟାଚ୍ ପରେ ଏହା ଉପରୁ ପରଦା ହଟାଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁଭମନ ଗିଲ ।
ଶୁଭମନ କହିଛନ୍ତି, ସାମିଙ୍କର ଏହି ନିଆରା ଷ୍ଟାଇଲରେ ସେଲିବ୍ରେସନ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ପାରସ ମାହାମ୍ବ୍ରେଙ୍କ ପାଇଁ ଥିଲା । କାରଣ ପାରସଙ୍କ ମୁଣ୍ଡରେ କେଶ ନଥିଲା । ତେଣୁ ତାଙ୍କ ଆଡକୁ ଇଙ୍ଗିତ କରି ସାମି ଏଭଳି ମଜାଳିଆ ଅନ୍ଦାଜରେ ସେଲିବ୍ରେସନ କରିଥିଲେ । ଏହାସହ ଗିଲ୍ କହିଥିଲେ, ଯେଉଁଭଳି ସମସ୍ତ ବୋଲର ବୋଲିଂ କରୁଥିଲେ ଲାଗୁଥିଲା ଯେମିତି ପ୍ରତି ବଲରେ ୱିକେଟ ପଡିବ । ସମସ୍ତ ବୋଲର ଜବରଦସ୍ତ ଫର୍ମରେ ରହିଛନ୍ତି ଏବଂ ଆମର କାମକୁ ଆହୁରି ସହଜ କରି ଦେଉଛନ୍ତି । ଆମେ ଆଜି ଷ୍ଟ୍ରାଇକ ରୋଟେଟ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲୁ । ଏହା ୪୦୦ ରନ ସ୍କୋର କଲାଭଳି ପିଚ୍ ନୁହେଁ କିନ୍ତୁ ଆମ ଦଳ ଭଲ ବ୍ୟାଟିଂ କଲା ଯାହାଦ୍ୱାରା ଦଳୀୟ ସ୍କୋର ୩୫୦ରେ ପହଞ୍ଚିଥିଲା ।
"Look at this Harbhajan Singh"
Lord Shami the record breaker 🔥#ICCMensCricketWorldCup2023#INDvSL#Shami#MohammedShami#IndianCricketTeam#HarbhajanSingh#ICCWorldCup2023#viratkholi#ShubmanGill#ShreyasIyer#Siraj#MohammedSirajpic.twitter.com/M3VtXgU4Nt
— Meet Makwana (@MeetMakzz) November 2, 2023
ଚଳିତ ବିଶ୍ୱକପରେ ସାମି ଏଯାବତ ୩ଟି ମ୍ୟାଚରୁ ୧୪ଟି ୱିକେଟ ହାସଲ କରିଛନ୍ତି । ବୁମରାହଙ୍କ ପରେ ଦ୍ୱିତୀୟ ଭାରତୀୟ ବୋଲର ଭାବେ ସର୍ବାଧିକ ୱିକେଟ ହାସଲ କରିଛନ୍ତି ସାମି । ସାମିଙ୍କ ଘାତକ ବୋଲିଂ ବଳରେ ହିଁ ଭାରତ ଶ୍ରୀଲଙ୍କାକୁ ୩୦୨ ରନରେ ମାତ୍ ଦେଇ ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ ହାତେଇଛି । ଚଳିତ ବିଶ୍ୱକପରେ ଭାରତ ଏଯାବତ ଅପରାଜେୟ ରହିଛି । ଲିଗ୍ ପର୍ଯ୍ୟାୟରେ ଆଉ ୨ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ରବିବାର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଏବଂ ଶେଷ ମ୍ୟାଚରେ ନେଦରଲାଣ୍ଡସକୁ ଭେଟିବ ରୋହିତ ବାହିନୀ । ଏହି ୨ ଦଳ ବିପକ୍ଷରେ ବିଜୟ ହାସଲ କରି ଅପରାଜେୟ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।