କନକ ବ୍ୟୁରୋ: ସାରା ମ୍ୟାଚରେ ବାହାରେ ବସିଥିଲେ ମହମ୍ମଦ ସାମି । ଗୋଟିଏ ଓଭର ଆଉ ୬ଟି ବଲରେ ବଦଳିଗଲା ମ୍ୟାଚର ଫଳାଫଳ । ଭାରତ ପାଇଁ ସଙ୍କଟମୋଚକ ସାଜି ବିଜୟୀ କରାଇଛନ୍ତି ଏହି ଦ୍ରୁତବୋଲର । ଦୀର୍ଘ ଦିନର ବ୍ୟବଧାନ ପରେ ଭାରତୀୟ ଦଳକୁ ଫେରିଥିଲେ ମହମ୍ମଦ ସାମି । ତାହାପୁଣି ବୁମରା ବିଶ୍ୱକପରୁ ବାଦ ପଡିବା ପରେ । ଆଉ ପ୍ରଥମ ମ୍ୟାଚରେ ହିଁ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ସୋମବାର ଅଷ୍ଟ୍ରେଲିଆ ବିରୋଧରେ ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଥିଲା । ଏଥିରେ ଦଳ ୬ ରନର ରୋମାଞ୍ଚକର ବିଜୟ ହାସଲ କରିଛି । ପୂରା ମ୍ୟାଚରେ ସାମିଙ୍କୁ ୧୯ ଓଭର ଯାଏ ସୁଯୋଗ ମିଳିନଥିଲା କିନ୍ତୁ, ଶେଷ ଓଭରରେ ସେ ବୋଲିଂ କରି ପୂରା ମ୍ୟାଚର ଫଳାଫଳକୁ ବଦଳାଇଦେଇଥିଲେ । ଅଧିନାୟକ ରୋହିତ ଶର୍ମା ଶେଷ ଓଭର ବୋଲି ପାଇଁ ସାମିଙ୍କ ହାତରେ ବଲ ଧରାଇଥିଲେ । ଅଷ୍ଟ୍ରେଲିଆ ବିଜୟ ପାଇଁ ୬ ବଲରେ ୧୧ ରନ ଆବଶ୍ୟକ କରୁଥିଲେ । ତେବେ ଏହି ଛଅ ବଲରେ ପୂରା ମ୍ୟାଚର ଫଳାଫଳକୁ ସାମି ବଦଳାଇ ଦେଇଥିଲେ ।

Advertisment

ଶେଷ ଓଭରରେ କ୍ରିଜରେ ଥିଲେ ପ୍ୟାଟ କମିନ୍ସ ଏବଂ ଜୋଶ ଇଂଲିଶ । ତେବେ ଲାଗୁଥିଲା ଘରୋଇ ଦଳ ମ୍ୟାଚକୁ ଅତି ସହଜରେ ବିଜୟୀ ହେବ । ସାମି ପ୍ରଥମ ୨ବଲରେ ୪ ରନ ଦେଇଥିଲେ । ହେଲେ ତୃତୀୟ ବଲରେ ସେ ପ୍ୟାଟ କମିନ୍ସଙ୍କୁ ଆଉଟ କରିଥିଲେ । ଏହି ବଲରେ କମିନ୍ସ ମାରିଥିବା ସଟକୁ ବାଉଣ୍ଡ୍ରି ଲାଇନରେ ଧରିନେଇଥିଲେ କୋହଲି । ଗୋଟିଏ ହାତରେ କୋହିଲ କ୍ୟାଚ ଧରିବା ସହ ମ୍ୟାଚକୁ ଖସାଇବାର ପ୍ରଥମ ସଫଳତା ହାତେଇଥିଲେ । ଏହାହିଁ ମ୍ୟାଚର ମୋଡ ବଦଳାଇଦେଇଥିଲା । ଏହାର ପରବର୍ତ୍ତୀ ବଲରେ ଆଷ୍ଟନ ଆଗରଙ୍କୁ କୋହଲି ରନ ଆଉଟ କରିଥିଲେ । ଶେଷ ଦୁଇ ବଲରେ ବିଜୟ ପାଇଁ ୭ ରନ ଦରକାର ଥିବା ବେଲେ ପଞ୍ଚମ ବଲରେ ଇଂଲିଶଙ୍କୁ କ୍ଲିନ ବୋଲ୍ଡ କରିଥିଲେ ସାମି । ଶେଷ ବଲରେ ରିଚାର୍ଡସନ ବୋଲ୍ଡ ହୋଇ ଭାରତ ହାତରେ ବିଜୟ ଭେଟିଦେଇଥିଲେ । ଶେଷରେ ଭାରତ ୬ରନରେ ଏହି ମ୍ୟାଚକୁ ନିଜ ହାତକୁ ନେଇଯାଇଥିଲା ।