ବିଶ୍ୱକପ୍ ମହାସମର । ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟରେ ଲୁଚିଗଲା ଶାମିଙ୍କ ଏହି ବଡ ରେକର୍ଡ ।

326

କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପରେ ବିଜୟଧାରା ବଜାୟ ରଖିଥିବା ବିରାଟ ବାହିନୀକୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି । ରବିବାର ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ପ୍ରତି ଓଭରରେ ଛକା ଚୌକାର ବର୍ଷା କରିଥିଲେ । କେବଳ ଜସପ୍ରିତ ବୁମରାହ ହିଁ ଏକମାତ୍ର ଏଭଳି ବୋଲର ଥିଲେ, ଯିଏକି ୬ରୁ କମ୍ ହାରରେ ରନ୍ ବ୍ୟୟ କରିଥିଲେ । ଅନ୍ୟପଟେ ମହମ୍ମଦ ଶାମି ମଧ୍ୟ ଦମଦାର ବୋଲିଂ କରିଥିଲେ । ସେ ନିଜ ୧୦ ଓଭରରେ ୬୯ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ଆଉ ଏହା ସହ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି ଶାମି ।

ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ୍ ଅକ୍ତିଆର କରି ବିଶ୍ୱକପର ବଡ ରେକର୍ଡ ନିଜ ନାମରେ କରିଛନ୍ତି ଶାମି । ବିଶ୍ୱକପରେ ଅଳ୍ପ ମ୍ୟାଚରେ ୩୦ ୱିକେଟ୍ ନେବାରେ ସେ ପ୍ରଥମ ବୋଲର ହୋଇଛନ୍ତି । ଏବଂ ଏହା ସହ ସେ ବିଶ୍ୱ ରେକର୍ଡ କରିଛନ୍ତି । ବିଶ୍ୱକପରେ ମାତ୍ର ୧୦ଟି ମ୍ୟାଚରେ ୩୦ଟି ୱିକେଟ୍ ଅକ୍ତିଆର କରିଛନ୍ତି ଶାମି । ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ, ଯିଏକି ୧୦ଟି ମ୍ୟାଚରେ ୨୮ଟି ୱିକେଟ୍ ନେଇଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା, ଯିଏକି ୧୦ଟି ମ୍ୟାଚରେ ୨୪ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ଚଳିତ ବିଶ୍ୱକପରେ ଶାମି ମୋଟ୍ ୩ଟି ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ବେଳେ ସେ ୪ଟି ୱିକେଟ୍ ନେଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪ଟି ଏବଂ ନିଜ ତୃତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ୍ ନେଇଛନ୍ତି ଶାମି । ବିଶ୍ୱକପରେ କ୍ରମାଗତ ୩ଟି ମ୍ୟାଚରେ ୪ ଓି୍ୱକେଟ୍ କିମ୍ବା ତାଠାରୁ ଅଧିକ ୱିକେଟ୍ ନେବାରେ ଶାମି ହେଉଛନ୍ତି ପ୍ରଥମ ଭାରତୀୟ ।