ଦ୍ରୌପଦୀ ଜଣେ ଓଡ଼ିଆ, ତାଙ୍କୁ ଭୋଟ ଦେଇ ମୁଁ ଠିକ୍ କରିଛି । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଦ୍ରୌପଦୀଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

414

କନକ ବ୍ୟୁରୋ : ପାର୍ଟି ନୁହେଁ ଆଗ ମାଟି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦଳର ନିଷ୍ପତି ବିରୋଧରେ ଯାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଏହାସହ ମୋକିମ କହିଛନ୍ତି ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି । ଜଣେ ଓଡ଼ିଆ ଓ ଆଦିବାସୀ ମହିଳା ହୋଇଥିବାରୁ ମୁଁ ଦ୍ରୌପଦୀଙ୍କୁ ଭୋଟ ଦେଇଛି । ସମ୍ବିଧାନର ସର୍ବୋଚ୍ଚ ପଦରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଆଉ ଭାବୁଛି ଭୋଟ ଦେଇ ମୁଁ ଠିକ୍ କରିଛି । ବିବେକ ଅନୁଯାୟୀ ଭୋଟ ଦେଇଛି ।

ପୂର୍ବରୁ ପିସିସି ସଭାପତି ମିଳିତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମୋକିମ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ହୁଇପ ନଥାଏ । ଜଣେ ଓଡ଼ିଆ ଭାବେ ମୁଁ ଅନୁଭବ କଲି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଏ ପ୍ରସଙ୍ଗରେ ଦଳୀୟ ଭିତ୍ତିରେ ଆଲୋଚନା ହେବ । ମୁଁ କିନ୍ତୁ ବ୍ୟକ୍ତିଗତ ଭାବେ ଏଭଳି ନିଷ୍ପତ୍ତି ନେଇଛି ।
ଅନ୍ୟପଟେ ଦ୍ରୌପଦୀଙ୍କୁ ମୋକିମ ଭୋଟ ଦେବା ପରେ କଂଗ୍ରେସ ଶିବିରରେ କମ୍ପନ ଆରମ୍ଭ ହୋଇଛି । ଦଳୀୟ ନିର୍ଦ୍ଦେଶ ବିରୋଧରେ କିଭଳି ମୋକିମ ଭୋଟ ଦେଲେ ତାହାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ମୋକିମଙ୍କ ବିରୋଧରେ ହାଇକମାଣ୍ଡକୁ ଫେରାଦ ହେବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି, ରାଷ୍ଟ୍ରପତି ନିର୍ବାତନରେ ହ୍ୱିପ ଜାରି ହୁଏନି । କିନ୍ତୁ ବିଧାୟକମାନେ ଦଳୀୟ ନିର୍ଦ୍ଦେଶକୁ ମାନିବା କଥା । ସେପଟେ, ପିସିସି ସଭାପତି କହିଛନ୍ତି ଗଣମାଧ୍ୟମରୁ ଦେଖି ମୋକିମ୍ ଦ୍ରୌପଦୀଙ୍କୁ ଭୋଟ୍ ଦେବା କଥା ଜାଣିବାକୁ ପାଇଲୁ । ଯାଞ୍ଚ ପରେ ଦଳୀୟ ଫୋରମରେ ଚର୍ଚ୍ଚା କରି କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇବୁ । ତେବେ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ପାଇଁ ନିଷ୍ପତ୍ତି କରିଥିଲା କଂଗ୍ରେସ ।