କନକ ବ୍ୟୁରୋ: ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ଥିବା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଖୁବଶୀଘ୍ର ଦଳକୁ ଫେରିବେ । ଆଜି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍ ଅଜୟ କୁମାର ମଧ୍ୟ ଏନେଇ ଆଭାସ ଦେଇଛନ୍ତି । କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି । ଅପେକ୍ଷା କରନ୍ତୁ, ଖୁବ ଶୀଘ୍ର ଭଲ ଖବର ପାଇବେ ବୋଲି ଅଜୟ କୁମାର କହିଛନ୍ତି । ଏମିତିକି ଆହୁରି ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ଅଜୟ କୁମାରଙ୍କ ସହ ଆଲୋଚନା ନେଇ ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ନିଲମ୍ବନ ହଟିବା ସମ୍ପର୍କରେ ଦଳ ନିଷ୍ପତି ନେବ ବୋଲି କହିଛନ୍ତି ମୋକିମ ।