ସୋସିଆଲ ମିଡିଆରେ କ୍ରିକେଟର ମହମ୍ମଦ ସାମିଙ୍କୁ ସମାଲୋଚନା । ସପକ୍ଷରେ ବାହାରିଲେ କ୍ରିକେଟର ଓ ରାଜନେତା ।

466

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାରତୀୟ ପେସ୍ ବୋଲର ମହମ୍ମଦ ସାମିଙ୍କୁ ଜୋରଦାର ଟ୍ରୋଲ କରାଯାଉଛି । ପାକିସ୍ତାନ ବିପକ୍ଷରେ ଭାରତ ପରାଜୟ ପରେ ସାମିଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ହଜାର ହଜାର ୟୁଜର୍ସ ସାମିଙ୍କ ଧର୍ମକୁ ନେଇ ଟାର୍ଗେଟ କରିଥିବାବେଳେ ଅନେକ ଜଣ ସାମିଙ୍କୁ ପାକିସ୍ତାନ ଚାଲିଯିବାକୁ କମେଣ୍ଟ କରିଛନ୍ତି । ଆଉ ୟୁଜର୍ସଙ୍କ ଏଭଳି କମେଣ୍ଟର ଜବାବ ରଖିବା ସହ ସାମିଙ୍କ ସପୋର୍ଟରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସେହୱାଗ । କେବଳ ସେତିକି ନୁହେଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଏଆଇଏମଆଇଏମ ନେତା ଅସଉଦ୍ଦିନ ଓୱେସି ମଧ୍ୟ ସାମିଙ୍କୁ ସମର୍ଥନ କରିଛନ୍ତି ।

ସୋସିଆଲ ମିଡିଆରେ ‘ସାମି’ଙ୍କୁ ଟ୍ରୋଲ୍ । ସପକ୍ଷରେ ବାହାରିଲେ ନେତା, କ୍ରିକେଟର । ଟି ୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ପରାସ୍ତ ହୋଇଛି ଭାରତ । ଆଉ ଏହି ପରାଜୟ ପରେ କ୍ରିକେଟ୍ ପ୍ରେମୀଙ୍କ ଠାରୁ ବିଭିନ୍ନ ବିବାଦ ଓ ଦୋଷାରୋପ ଲଦାଲଦି ଆରମ୍ଭ ହୋଇଯାଇଛି । ଖାସ କରି ଭାରତୀୟ ପେସ୍ ବୋଲର ମହମ୍ମଦ ସାମିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ତାଙ୍କ ଧର୍ମକୁ ନେଇ ସାମୀଙ୍କୁ ଟାର୍ଗେଟ କରାଯାଇଥିବାବେଳେ ଅନେକ ତାଙ୍କୁ ପାକିସ୍ତାନ ଚାଲିଯିବାକୁ କମେଣ୍ଟ ମଧ୍ୟ କରିଛନ୍ତି ।

ରବିବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଠାରୁ ୧୦ ଓି୍ୱକେଟରେ ହାରିଥିଲା ଭାରତ । ବିନା କୌଣସି ୱିକେଟ୍ ହରାଇ ପାକ୍ କ୍ରିକେଟ ଦଳ ଦୁଇ ଓଭର ପୂର୍ବରୁ ହିଁ ବିଜୟ ଲାଭ କରିଥିଲା । ଆଉ ଏହି ମ୍ୟାଚରେ କାମ ଦେଇନଥିଲା ଭାରତର ବୋଲିଂ ପ୍ଲାନିଂ । ଖାସ କରି ମହମ୍ମଦ ସାମି ମାତ୍ର ୪ ଓଭରରେ ୪୩ ରନ୍ ଦେଇ ପାକିସ୍ତାନ ଦଳ ପାଇଁ ବିଜୟ ସହଜ କରି ଦେଇଥିଲେ ।

ପାକିସ୍ତାନ ଠାରୁ ହାରିବା ପରେ ସାମିଙ୍କୁ ସୋସିଆଲ ମିଡିଆ ୟୁଜର୍ସଙ୍କ ରାଗର ଶିକାର ହେବାକୁ ପଡିଛି । ଯେଉଁଠି ଗୋଟିଏ ପଟେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି, ସେପଟେ ଅନେକ ତାଙ୍କ ସପକ୍ଷରେ ମଧ୍ୟ ବାହାରିଛନ୍ତି । ସାମିଙ୍କ ସମର୍ଥନରେ ଅନେକ ଖେଳାଳୀ ବାହାରିଛନ୍ତି । ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହବାଗ ସାମିଙ୍କ ଉପରେ କରାଯାଉଥିବା ଅନଲାଇନ ଆଟାକ୍ଷକୁ ନିନ୍ଦା କରିବା ସହ ସାମିଙ୍କୁ ଚମ୍ପିଆନ ସମ୍ଭୋଧନ କରିଛନ୍ତି ।

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ସାମିଙ୍କୁ ବିଶ୍ୱସ୍ତରୀୟ ଖେଳାଳି କହିବା ସହ ସାମିଙ୍କ ସହ ଓ ପୁରା ଟିମ ଇଣ୍ଡିଆ ସହ ସେ ଅଛନ୍ତି ବୋଲି ଟୁଇଟ କରିଛନ୍ତି । କେବଳ ସେତିକି ନୁହେଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସାମିଙ୍କୁ ନିଜ ସମର୍ଥନ ଜଣାଇଛନ୍ତି । ସେହିପରି ଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ୍ ଓୱେସି ସାମିଙ୍କୁ ଟାର୍ଗେଟକୁ ମୁସଲମାନଙ୍କ ପ୍ରତି ଥିବା ଘୃଣାଭାବ ବୋଲି କହିବା ସହ ବିଜେପି ସରକାରକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।

ପୂର୍ବରୁ ମହମ୍ମଦ ସାମି ମଇଦାନରେ ଅନେକ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି । ସାମିଙ୍କ ଯୋଗୁଁ ଭାରତ ଅନେକ ଥର ବିଜୟର ସ୍ୱାଦ ପାଇଛି । ଆଉ ପାକିସ୍ତାନଠାରୁ ପରଜାୟ ନେଇ ତାଙ୍କୁ ସମାଲୋଚନା କରିବା ଉଚିତ୍ ନୁହେଁ ବୋଲି ଅନେକ ମତ ପ୍ରକାଶ ପାଇଛି ।