କୋହଲିଙ୍କ ଠାରୁ ବଡ ଛକା ମାରି ପାରିବି, ଯାହା ଭଲ ଲାଗିବ ଖାଇବି, ଡାଏଟ କାହିଁକି କରିବି? ଆଫଗାନିସ୍ତାନ କ୍ରିକେଟରଙ୍କ ମଜାଳିଆ ବୟାନ ।

340

କନକ ବ୍ୟୁରୋ : ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଆଉ ଏତେଟା ସହଜ ନୁହେଁ । ଆଗାମୀ ୩ଟି ମ୍ୟାଚରେ ବଡ ବ୍ୟବଧାନରେ ବିଜୟୀ ହେବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ ଭାରତର ସେମିଫାଇନାଲ ଟିକେଟ । ଖାସକରି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳ ଉପରେ ଭାରତ ଅଧିକ ନିର୍ଭରଶୀଳ ରହିବ । ଅନ୍ୟପଟେ ଆଜି ଆଫଗାନିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ୨ଟି ବିଜୟ ସହ ଗ୍ରୁପର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ବିପକ୍ଷରେ ଜିତିଲେ ଆଫଗାନିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ଆହୁରି ସହଜ ହୋଇଯିବ । ଯେଉଁଥିପାଇଁ ଉଭୟ ଆଫଗାନିସ୍ତାନ ଓ ଭାରତ ପାଇଁ ଆଜି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଆଫଗାନିସ୍ତାନ ବିପକ୍ଷରେ ବିରାଟ ବାହିନୀ କିଭଳି ଖେଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ପିନ ବୋଲର ଭାରତକୁ ବେଶ ଅଡୁଆରେ ପକାଇଥିଲେ । ଯାହାର ଫାଇଦା ଆଫଗାନିସ୍ତାନକୁ ମିଳିପାରେ ବୋଲି କୁହାଯାଉଛି । ଦୁବାଇ ପିଚ୍ ସ୍ପିନକୁ ସୁହାଉଥିବା କୁହାଯାଉଛି । ଏଭଳିସ୍ଥଳେ ଆଫଗାନିସ୍ତାନ ନିକଟରେ ଦକ୍ଷ ସ୍ପିନର ରହିଛନ୍ତି । ଯେଉଁମାନେ ଭାରତକୁ ଅଡୁଆରେ ପକାଇବାରେ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହି ମ୍ୟାଚ୍ ପୂର୍ବରୁ ଆଫଗାନିସ୍ତାନର ୱିକେଟକିପର ବ୍ୟାଟର ମହମ୍ମଦ ଶେହଜାଦ ଏକ ବଡ ବୟାନ ଜୋରଦାର ଭାଇରାଲ ହେଉଛି ।

୯୦ କିଲୋଗ୍ରାମ ଓଜନ ବିଶିଷ୍ଟ ଶେହଜାଦ ଅନେକ ସମୟରେ ନିଜର ଫିଟନେସକୁ ନେଇ ଆଲୋଚନାର ଶିକାର ହୋଇଥାନ୍ତି । କିନ୍ତୁ ଶେହଜାଦଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । ସବୁବେଳେ ମଜାଦାର ଅନ୍ଦାଜରେ ରହୁଥିବା ଶେହଜାଦ ନିଜର ଫିଟନେସକୁ ନେଇ କହିଛନ୍ତି, ମୁଁ ଫିଟନେସ ଉପରେ ଗୁରୁତ୍ୱ ଦିଏ ଏବଂ ପୂରା ଖାଏ ମଧ୍ୟ । ସମସ୍ତେ ବିରାଟ କୋହଲିଙ୍କ ଭଳି ହୋଇପାରିବେ ନାହିଁ । କିନ୍ତୁ କୋହଲି ଯେତିକି ଲମ୍ବା ଛକା ମାରନ୍ତି ତାଙ୍କ ଠାରୁ ମୁଁ ଅଧିକ ବଡ ଛକା ମାରିପାରିବି । ତେଣୁ କୋହଲିଙ୍କ ଭଳି ଡାଏଟ କରିବାର ଆବଶ୍ୟକତା ବା କଣ? ଶେହଜାଦ କହିଛନ୍ତି, ମୋର କୋଚ ଭଲ ଭାବେ ଜାଣିଛନ୍ତି ମୁଁ ୫୦ ଓଭର କିପିଂ ଓ ୫୦ ଓଭର ବ୍ୟାଟିଂ କରିପାରିବି । ମୋର ଓଜନ କେବେ ମୋର କ୍ରିକେଟ ଖେଳରେ ବାଧା ଦେଇନାହିଁ । ଆଉ ଶେହଜାଦଙ୍କ ବ୍ୟାଟରୁ ବାହାରୁଥିବା ରନ୍ ହିଁ ଏହାର ମୁକସାକ୍ଷୀ । କାରଣ ଟି-୨୦ରେ ଶେହଜାଦ ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ଏପରିକି ଦିନିକିଆରେ ମହମ୍ମଦ ନବିଙ୍କ ପରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛନ୍ତି ଶେହଜାଦ ।

ଆଫଗାନିସ୍ତାନ ପାଇଁ ଦୀର୍ଘ ଦିନ ହେବ ଖେଳି ଆସୁଥିବା ଶେହଜାଦ ଅନେକଥର ବିବାଦ ଘେରକୁ ମଧ୍ୟ ଆସିଛନ୍ତି । ଏପରିକି ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ଗୋଟିଏ ବର୍ଷ ବ୍ୟାନ୍ ମଧ୍ୟ ଲାଗିଛି । ସେହିଭଳି ଜିମ୍ବାୱେ ବିପକ୍ଷ ମ୍ୟାଚରେ ଆଉଟ ହେବା ପରେ ଶେହଜାଦ ଯେଉଁଭଳି ଆଚରଣ କରିଥିଲେ ସେଥିପାଇଁ ଦୁଇଟି ମ୍ୟାଚରୁ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଶେହଜାଦ ଏହି ବିବାଦକୁ ବେଶ ହାଲକାରେ ନିଅନ୍ତି ଏବଂ ଅନେକ ସମୟରେ କହିଛନ୍ତି ପ୍ରତି ମଣିଷ ଭୁଲ କରିଥାଏ । ଏହାଛଡା ଶେହଜାଦ ହିନ୍ଦୀ ଗୀତର ବଡ ପ୍ରଂଶସକ । ଅନେକ ସମୟରେ ତାଙ୍କୁ ବଲିଉଡ ଗୀତ ଗାଉଥିବାର ଦେଖିବାକୁ ମିଳିଛି ।