ଆଫଗାନିସ୍ତାନ ଅଧିନାୟକଙ୍କ ପଦିଏ କଥା, ଚୁପ୍ ହୋଇଗଲା ସାମ୍ବାଦିକଙ୍କ ମୁହଁ । ଅଧାରୁ କାହିଁକି ସାମ୍ବାଦିକ ସମ୍ମିଳନୀ ଛାଡି ଚାଲିଗଲେ ନବି ।

328

କନକ ବ୍ୟୁରୋ : ଶୁକ୍ରବାର ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୫ ୱିକେଟରେ ପରାଜିତ ହୋଇଛି ଆଫଗାନିସ୍ତାନ । ଶେଷ ୨ ଓଭର ପର୍ଯ୍ୟନ୍ତ ଆଫଗାନିସ୍ତାନ ହାତରେ ଏହି ମ୍ୟାଚ୍ ଥିବା ବେଳେ ୧୯ ତମ ଓଭରରେ ଏହାକୁ ଛଡାଇ ନେଇଥିଲେ ପାକିସ୍ତାନର ଆସିଫ ଅଲ୍ଲୀ । ୧୯ ତମ ଓଭରରେ ୪ଟି ଛକା ମାରି ପାକିସ୍ତାନକୁ ବିଜୟ ଭେଟି ଦେଇଥିଲେ ଆସିଫ୍ । ଆଉ ଏହାସହ ଟି-୨୦ ବିଶ୍ୱକପରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ପାକିସ୍ତାନ ।

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମଳନୀରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବିଙ୍କୁ ଯେତେବେଳେ ଦେଶର ରାଜନୈତିକ ସ୍ଥିତି ଓ ତାଲିବାନ ପ୍ରସଙ୍ଗରେ ପଚରାଗଲା ସେତେବେଳେ ସେ ଏମିତି କିଛି କହିଥିଲେ ଯାହାଦ୍ୱାରା ସାମ୍ବାଦିକଙ୍କ ମୁହଁ ଚୁପ୍ ହୋଇଯାଇଥିଲା । ଅତି ବିନମ୍ରତାର ସହ ନବି ଯେଉଁ ଉତ୍ତର ରଖିଥିଲେ ତାହା ଅନେକ କ୍ରିକେଟପ୍ରେମୀଙ୍କୁ ପସନ୍ଦ ଆସିଥିଲା । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏପରିକି ଏଭଳି ପ୍ରଶ୍ନ ନ ପଚାରିବାକୁ ସାମ୍ବାଦିକଙ୍କୁ ଲୋକେ ପରାମର୍ଶ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ଜଣକ ନବିଙ୍କୁ କହିଥିଲେ ଯେ, ଆଫଗାନିସ୍ତାନ ଟିମ୍ ଏବେ ଭଲ ଖେଳୁଛି । ଗତ ୨ଟି ମ୍ୟାଚରେ ଦଳର ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି । କିନ୍ତୁ ଦେଶରେ ଯେଉଁ ପରିସ୍ଥିତି ବଦଳିଛି ତାହାକୁ ନେଇ କୌଣସି ଚାପ ରହିଛି କି, ଯେତେବେଳେ ଦେଶକୁ ଫେରିବେ ସେତେବେଳେ ମ୍ୟାଚକୁ ନେଇ ପଚରାଉଚରା କରାଯିବ କି? ଏବେ ଆଫଗାନିସ୍ତାନରେ ନୂଆ ସରକାର ଆରମ୍ଭ ହୋଇଛି । ପାକିସ୍ତାନ ସହ ଆଫଗାନିସ୍ତାନର ସର୍ମ୍ପକ ଭଲ ରହିଛି, ଏହାଦ୍ୱାରା ଆଗାମୀ ଦିନରେ ଆଫଗାନିସ୍ତାନ କ୍ରିକେଟ ଟିମକୁ ଫାଇଦା ମିଳିବ କି?

ଏହାର ଉତ୍ତରରେ ନବି କହିଥିଲେ, ଦେଶର ସାମ୍ପ୍ରତିକ ସ୍ଥିତିକୁ ଛାଡି ଆମେ କ୍ରିକେଟ ବାବଦରେ କଥା ହୋଇପାରିବା । ଆମେ ଏଠାକୁ ବିଶ୍ୱକପ ଖେଳିବାକୁ ପୂରା ପ୍ରସ୍ତୁତିର ସହ ଆସିଛୁ । କ୍ରିକେଟ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ଥିଲେ ପଚାରିପାରନ୍ତି । କିନ୍ତୁ ସାମ୍ବାଦିକ ଜଣକ ବାରମ୍ବାର ଆଫଗାନିସ୍ତାନର ରାଜନୈତିକ ସ୍ଥିତିକୁ ନେଇ ପ୍ରଶ୍ନ କରିବାରୁ ଶେଷର ସାମ୍ବାଦିକ ସମ୍ମିଳନୀ ଅଧାରୁ ଛାଡି ଚାଲି ଯାଇଥିଲେ ନବି ।