ଟି-୨୦ ବିଶ୍ୱକପର ଅଧିନାୟକ ମିଳିଥିଲା, ଘୋଷଣାର କିଛି ସମୟ ମଧ୍ୟରେ ପଦ ଛାଡିଲେ ରସିଦ ଖାନ୍ । ଆଉ କହିଲେ କିଛି ଏମିତି କଥା… ।

2,426

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଦଳ ଘୋଷଣା ହୋଇଛି । ତେବେ ଦଳ ଘୋଷଣା ହେବା କ୍ଷଣି ଚର୍ଚ୍ଚାକୁ ଆସିଛନ୍ତି ଆଫଗାନ୍ କ୍ରିକେଟ ରସିଦ ଖାନ୍ । କାରଣ ଟି-୨୦ ବିଶ୍ୱକପ ପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଯେଉଁ ଦଳ ଘୋଷଣା ହୋଇଥିଲା ସେଥିରେ ରସିଦ୍ ଖାନଙ୍କୁ ଅଧିନାୟକ କରାଯାଇଥିଲା । କିନ୍ତୁ ଦଳ ଘୋଷଣାର କିଛି ମିନିଟ୍ ମଧ୍ୟରେ ଅଧିନାୟକ ପଦରୁ ହଟିବାକୁ ନିଷ୍ପତ୍ତି ନେଇଥିଲେ ରସିଦ୍ । ଏପରିକି ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ ରସିଦ୍ ଖାନ୍ ।

ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ରସିଦ୍ ଲେଖିଛନ୍ତି, ଟି-୨୦ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ପକ୍ଷରୁ ଯେଉଁ ଦଳ ଘୋଷଣା ହୋଇଥିଲା ସେଥିରେ ତାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଓ ଚୟନ ସମିତି ତାଙ୍କର ଅନୁମତି ନେଇନଥିଲେ ବୋଲି ଦର୍ଶାଇଛନ୍ତି ରସିଦ । ଟିମ୍ ଚୟନରେ ଅଧିନାୟକ ଭାବେ ମୋତେ ସାମିଲ କରିବା କଥା କିନ୍ତୁ ଚୟନ ସମିତି ଏବଂ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଟିମ୍ ଚୟନ ପାଇଁ ମୋ ଠାରୁ କୌଣସି ଅନୁମତି ନେଇନାହାନ୍ତି । ସେଥିପାଇଁ ଅଧିନାୟକ ପଦରୁ ତୁରନ୍ତ ହଟିବାକୁ ନିଷ୍ପତ୍ତି ନେଉଛି । ଆଫଗାନିସ୍ତାନ ପକ୍ଷରୁ ଖେଳିବା ମୋ ପାଇଁ ସବୁବେଳେ ଗର୍ବର ବିଷୟ । ଏବେ ରସିଦ ଖାନ୍ ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି ।

ତେବେ ରସିଦ ଖାନ୍ ଅଧିନାୟକ ପଦ ଛାଡିବା ପରେ ସେହି ସ୍ଥାନରେ ଅଲରାଉଣ୍ଡର ମହମ୍ମଦ ନବିଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ନବି ମଧ୍ୟ ଆଫଗାନିସ୍ତାନ ଟିମର ଅଧିନାୟକ ରହି ସାରିଛନ୍ତି । ନବିଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ରସିଦଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ସବୁଠୁ ବଡ କଥା ହେଲା, ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଆଫଗାନ୍ କ୍ରିକେଟ ଜଗତରେ ବଡ ଧରଣର ହଲଚଲ ହୋଇଛି । ମହିଳା ଟିମକୁ କ୍ରିକେଟ ଖେଳରୁ ବାରଣ କରାଯାଇଛି । ତାଲିବାନ ଶାସନକୁ ଆସିବା ପୂର୍ବରୁ ରସିଦ ଖାନ୍ ସୋସିଆଲ ମିଡ଼ିଆରେ ଅନେକ ଟ୍ୱିଟ୍ କରିଥିଲେ । ଏପରିକି ଆଫଗାନିସ୍ତାନରେ ଯେଉଁ ନରସଂହାର ହେଉଛି ସେଥିପାଇଁ ବିଶ୍ୱ ସମୁଦାୟ ଆଗକୁ ଆସନ୍ତୁ ବୋଲି କହିଥିଲେ ରସିଦ୍ ।