କରୋନା କାଳରେ ବାଟ ଦେଖାଇଲା ଛତିଶଗଡ଼ । ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହୋଇପାରେ ମୋହଲ୍ଲା କ୍ଲାସ।

347

କନକ ବ୍ୟୁରୋ: କରୋନା ସଂକ୍ରମଣ ଭୟରେ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଫଳରେ ପ୍ରାୟ ଦେଢ଼ ବର୍ଷ ହେବ ବହି ବସ୍ତାନିଠାରୁ ଦୂରେଇ ରହିଛନ୍ତି ଛାତ୍ରଛାତ୍ରୀ । ଏମିତି ସ୍ଥିତିରେ ନୂଆ ବାଟ ଦେଖାଇଛନ୍ତି ଛତିଶଗଡ ସରକାର । ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପାଠକୁ ପହଁଚାଇବା ପାଇଁ ଜାରି ରଖିଛି ମୋହଲ୍ଲା କ୍ଲାସ୍ । ଗାଁ ଦାଣ୍ଡ କିମ୍ବା ସାହି ପଡାରେ ପିଲାଙ୍କୁ କରୋନା କଟକଣା ଭିତରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି ଛତିଶଗଡ ସରକାର ।

ବିଶେଷ କରି ଯେଉଁଠି ମୋବାଇଲ କିମ୍ବା ଇଣ୍ଟରନେଟ ସେବା ନାହିଁ ସେଠାରେ ପିଲାମାନେ ଏହି ମୋହଲ୍ଲା କ୍ଲାସ ଦ୍ୱାରା ବେଶ ଉପକୃତ ହେଉଛନ୍ତି । ସେହିପରି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ପିଲାଙ୍କ ପାଇଁ ନୂଆ ଆଶାର କିରଣ ସାଜିଛି ମୋହଲ୍ଲା କ୍ଲାସ ।

ଏହାରି ଭିତରେ କିନ୍ତୁ ଓଡିଶାର ବିଭିନ୍ନ ଅଞ୍ଚଳରେ ଅନଲାଇନ୍ ଶିକ୍ଷାର ବିକଳ ଚିତ୍ର ଆସିବାରେ ଲାଗିଛି । ବିପଜନକ ଭାବେ ଘାଟି ଉପରେ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ୟୁଟ୍ୟୁବରେ ଶିକ୍ଷାଦାନ ପାଇଁ ସିନା ଗଣଶିକ୍ଷା ବିଭାଗ ଘୋଷଣା କରିଦେଲା, ହେଲେ ଏହା କେତେଦୂର ସଫଳ ହୋଇପାରୁଛି, ତାର ନଗ୍ନ ଉଦାହରଣ ସାମ୍ନାକୁ ଆସୁଛି । ସପ୍ତାହର ସାତ ଦିନ ପଢିବା ମଧ୍ୟ ପିଲାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଯେଉଁଦିନ ମୋବାଇଲ ମିଳୁଛି ସେହିଦିନ ପାଠପଢା ନହେଲେ ଛୁଟି । ଆଉ ଏମିତି ପରିସ୍ଥିତିରେ ପଡୋଶୀ ଛତିଶଗଡର ମୋହଲ୍ଲା ସ୍କୁଲ ଆଦର୍ଶ ପାଲଟିଛି ।

ଓଡିଶାରେ ସ୍କୁଲ ବନ୍ଦ ଥିବାରୁ ୟୁଟ୍ୟୁବ ମାଧ୍ୟମରେ ଚାଲିଛି ପାଠପଢ଼ା । ହେଲେ, ବିଭିନ୍ନ ସମସ୍ୟା ଯୋଗୁଁ ୟୁଟ୍ୟୁବ୍ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଁଚିବା ସମ୍ଭବ ହୋଇପାରୁ ନାହିଁ । ଏଭଳି ସ୍ଥିିତିରେ ପିଲାଙ୍କ ପାଖରେ ପହଁଚିବା ପାଇଁ, ଛତିଶଗଡର ମୋହଲ୍ଲା କ୍ଲାସ ଢ଼ାଞ୍ଚାରେ ଓଡିଶା ସରକାର କିଛି ବ୍ୟବସ୍ଥା କରିବେ କି? ନେଟୱାର୍କ ନଥିବା ସ୍ଥାନରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବେ କି ଶିକ୍ଷକ ? ଅନଲାଇନ୍ କ୍ଲାସରେ ସମସ୍ୟା ଉପୁଜିଥିବା ପିଲାଙ୍କ ପାଖରେ ପହଞ୍ଚି ଶିକ୍ଷାଦାନ କରିବେ କି ଶିକ୍ଷକ ?