ଚଣ୍ଡିଗଡ ୟୁନିଭର୍ସିଟିରେ ଏମଏମଏସ ମାମଲା: ୨ ୱାର୍ଡେନ୍ ନିଲମ୍ବିତ, ୬ ଦିନ ପାଇଁ କ୍ୟାମ୍ପସ୍ ବନ୍ଦ

198

କନକ ବ୍ୟୁରୋ: ତୀବ୍ର ହେବାରେ ଲାଗିଛି ମୋହାଲି ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଏମଏମଏସ୍ ଲିକ୍ ମାମଲା । କୌଣସି ପ୍ରତିକୂଳ ସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ୟୁନିଭର୍ସିଟି କ୍ୟାମ୍ପସକୁ ୬ ଦିନ ପାଇଁ ବନ୍ଦ ରଖାଯିବା ସହ ବାଳିକା ହଷ୍ଟେଲରେ ୨ଜଣ ୱାର୍ଡେନଙ୍କୁ ନିଲମ୍ବନ କରାଯାଇଛି ।

 ମୋହାଲି ଚଣ୍ଡିଗଡ ୟୁନିଭର୍ସିଟିରେ ୬୦ ଛାତ୍ରୀଙ୍କ ଏମଏମଏସ୍ ଲିକ୍ ଘଟଣାରେ ୟୁନିଭର୍ସିଟି ପ୍ରଶାସନ ୨ ୱାର୍ଡେନଙ୍କୁ ସସପେଣ୍ଡ୍ କରିଛି ।ଭାଇରାଲ ହୋଇଥିବା ଏକ ଭିଡିଓରେ ଏମାନଙ୍କ ମଧ୍ୟରୁ ଜଣେ ୱାର୍ଡେନଙ୍କୁ ଦେଖାଯାଇଛି । ଯେଉଁଥିରେ ସେ ଅଭିଯୁକ୍ତ ଛାତ୍ରୀଙ୍କୁ ତାଗିତ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ମଧ୍ୟ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ଫଳରେ ୬ ଦିନ ପାଇଁ କ୍ୟାମ୍ପସକୁ ବନ୍ଦ କରିଦିଆଯାଇଛି ।

 ସୂଚନା ମୁତାବକ, ଅଭିଯୁକ୍ତ ଛାତ୍ରୀ ସେ ରହୁଥିବା ବାଳିକା ହେଷ୍ଟେଲର ପାଖାପାଖି ୬୦ଜଣ ଛାତ୍ରୀ ଗାଧୋଇବା ସମୟର ଭିଡିଓ ସୁଟିଙ୍ଗ କରି ସିମଲାରେ ଥିବା ତା’ର ବୟଫ୍ରେଣ୍ଡକୁ ପଠାଉଥିଲା । ଯୁବକ ଜଣକ ଏହି ଭିଡିଓ ସବୁକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଘଟଣା ଜଣାପଡିଥିଲା । ଇଣ୍ଟରନେଟରେ ନିଜ ନିଜ ଭିଡିଓ ଦେଖିବା ପରେ ଛାତ୍ରୀଙ୍କ ମଧ୍ୟରୁ ୮ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଉଚ୍ଚସ୍ତରୀୟ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ପୋଲିସ ସିମଲାରୁ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲା ।