ମୋଦିଙ୍କ ପାକିସ୍ତାନୀ ଭଉଣୀ ! ୨୪ ବର୍ଷ ହେଲା ମୋଦିଙ୍କ ହାତରେ ବାନ୍ଧୁଛନ୍ତି ରାକ୍ଷୀ

40

ପୂରା ଦେଶରେ ଆଜି ଧୂମଧାମରେ ପାଳିତ ହୋଇଛି ରାକ୍ଷୀ ପୂର୍ଣ୍ଣିମା । ଭାଇର ଶୁଭ ମନାସୀ ଭଉଣୀ ମାନେ ରାକ୍ଷୀ ବାନ୍ଧିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଛୋଟ ଛୋଟ ଶିଶୁ ଓ ମହିଳା ମାନେ ରାକ୍ଷୀ ବାନ୍ଧିଛନ୍ତି । ଆଉ ପ୍ରତିବଦଳରେ ଦେଶର ସୁରକ୍ଷାର ପ୍ରତିଶୃତି ପାଇଛନ୍ତି । କିନ୍ତୁ ମୋଦିଙ୍କୁ ରାକ୍ଷୀ ବାନ୍ଧୁଥିବା ମହିଳା ମାନଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କାରଣ ମୋଦିଙ୍କୁ ରାକ୍ଷୀ ବାନ୍ଧୁଥିବା ମହିଳା ମାନଙ୍କ ମଧ୍ୟରେ ପାକିସ୍ତାନ ଜନ୍ମିତ ଜଣେ ମହିଳା ରହିଥିଲେ ଯିଏ ମୋଦିଙ୍କ ଭଉଣୀ ଭାବେ ଜଣାଶୁଣା । ତେବେ କିଏ ଏହି ମହିଳା ଓ କେମିତି ମୋଦିଙ୍କୁ ଜାଣିଲେ ତାହା ଆସନ୍ତୁ ଜାଣିବା ।

ମୋଦିଙ୍କ ଏହି ଭଉଣୀଙ୍କ ନାଁ କମର ମୋହସିନ ଶେଖ୍ । ବିଗତ ୨୪ ବର୍ଷ ଧରି ଏହି ମହିଳା ଜଣଙ୍କ ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି । ମୋଦି ନିଜେ ତାଙ୍କୁ ଫୋନ କରି ରାକ୍ଷୀ ବାନ୍ଧିବାକୁ ଆମନ୍ତ୍ରିତ କରିଥାନ୍ତି । ଏପରିକି ଗତ ବର୍ଷ ମଧ୍ୟ ତାଙ୍କୁ ମୋଦି ଫୋନ କରିଥିଲେ । ଚଳିତ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବା ପରେ କମର ମୋହସିନ ଶେଖ କହିଛନ୍ତି, ମୋଦିଙ୍କୁ ସେ ସେବେଠାରୁ ଜାଣିଛନ୍ତି ଯେବେ ଆରଏସଏସ କାର୍ଯ୍ୟକତ୍ତା ଭାବେ କାମ କରୁଥିଲେ । ଦୀର୍ଘ ୨୪ ବର୍ଷ ଧରି ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଛି ।ଏତେ ବର୍ଷ ପରେ ମଧ୍ୟ ତାଙ୍କ ନିକଟରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ସେ ବହୁତ ବ୍ୟସ୍ତ ହୋଇ ଯାଇଛନ୍ତି ବୋଲି କହିଛନ୍ତି କମର ମୋହସିନ ଶେଖ୍ । ଏହାଛଡା ଅନ୍ୟ ସବୁ ପୂର୍ବ ଭଳି ରହିଛି ।

ପାକିସ୍ତାନ ଜନ୍ମିତ କମର ମୋହସିନ ଶେଖ୍ ଗତ କିଛି ବର୍ଷ ହେଲା ଭାରତରେ ରହି ଆସୁଛନ୍ତି । ଏବେ ସେ ଗୁଜରାଟର ଅହମ୍ମଦାବାଦରେ ରହୁଛନ୍ତି । କାରଣ ତାଙ୍କର ବିବାହ ମୋହସିନ ଶେଖ ନାମକ ଜଣେ ଭାରତୀୟ ବ୍ୟକ୍ତିଙ୍କ ସହ ହୋଇଛି । ଆଉ ଏହାପରେ ସେ ପାକିସ୍ତାନୀ ବଦଳରେ ଭାରତୀୟ ହୋଇ ଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ଭାରତକୁ ଆସିଥିଲେ ସେତେବେଳେ ତାଙ୍କର ଖୁବ କମ ସର୍ମ୍ପକୀୟ ଥିଲେ । ଏହି ସମୟରେ ଅଧିକାଂଶ ସମୟ ଦିଲ୍ଲୀ ଆସିବାକୁ ପଡୁଥିଲା । ଆଉ ସେହି ସମୟରେ ଆରଏସଏସର କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିଲେ ମୋଦି । ଆଉ କୌଣସି ଏକ କାମକୁ ନେଇ ତାଙ୍କ ସହ ପ୍ରଥମ ଭେଟଘାଟ ଦିଲ୍ଲୀରେ ହୋଇଥିଲା ।

କମର ମୋହସିନଙ୍କ ଅନୁଯାୟୀ, ମୋଦି ସବୁବେଳେ ତାଙ୍କୁ କିପରି ଅଛ ଭଉଣୀ ବୋଲି ପଚାରୁଥିଲେ । ଆଉ ଗୋଟିଏ ଥର ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ନେଇ ମୋଦିଙ୍କ ହାତରେ ବାନ୍ଧିଥିଲି । ବାସ୍ ଏହାପରେ ୨୪ ବର୍ଷ ବିତି ଯାଇଛି । କିନ୍ତୁ ପ୍ରତିବର୍ଷ ତାଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିଥାଏ ବୋଲି ସେ କହିଛନ୍ତି । ଗତବର୍ଷ କମର ମୋହସିନ କହିଥିଲେ, ମୋତେ ଲାଗୁଥିଲା ଚଳିତ ଥର ସେ ବ୍ୟସ୍ତ ରହିବେ ବୋଲି । କିନ୍ତୁ ରାକ୍ଷୀ ପୂର୍ଣ୍ଣିମାର ଦୁଇଦିନ ପୂର୍ବରୁ ମୋଦିଙ୍କ ଫୋନ ଆସିଥିଲା ରାକ୍ଷୀ ବାନ୍ଧିବା ପାଇଁ । ଯାହା ଶୁଣି ମୁଁ ବହୁତ ଖୁସି ହୋଇ ଯାଇଥିଲି ।