ଅପରାଜିତାଙ୍କ ପାଇଁ ଆସୁଛନ୍ତି ମୋଦି ! ୨୦୧୯ ପାଇଁ ବିଜେପିର ଭାଗ୍ୟ ନିର୍ଦ୍ଧାରଣ କରିବ କି ସମାବେଶ ?

747

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖୋର୍ଦ୍ଧାରେ ହେବାକୁ ଥିବା ବିଶାଳ ଦଳୀୟ ସମାବେଶରେ ମୋଦି ଯୋଗଦେବେ ବୋଲି ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି । ଆଉ ଏହି ସମାବେଶରେ ହିଁ ମୋଦି ୨୦୧୯ ନିର୍ବାଚନ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଏକପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏସବୁ ଭିତରେ ପ୍ରଶାସିକା ପଦ ଛାଡି ପଦ୍ମ ପୋଖରୀକୁ ଡେଇଁଥିବା ଅପରାଜିତାଙ୍କ ପାଇଁ ଖାସ୍ ମୋଦି ଓଡିଶା ଆସୁଛନ୍ତି ବୋଲି ରାଜନୀତିର ଅନ୍ଦରମହଲରେ ଚର୍ଚ୍ଚା ଚାଲିଛିି ।

ଗୋଟିଏପଟେ ଅପରାଜିତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଅପରାଜିତା ମଧ୍ୟ ଜନ ପରାମର୍ଶ ଯାତ୍ରା ମାଧ୍ୟମରେ ଲୋକଙ୍କୁ ଭେଟିବା ଆରମ୍ଭ କଲେଣି । ପୂର୍ବରୁ ଭୁବନେଶ୍ୱର ଛାତି ଉପରେ ଦବଦବା ବନାଇ ରଖିଥିବା ଅପରାଜିତା ଲୋକଙ୍କ ନିକଟତର ହେବା ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଯେଉଁଠାରୁ ଅପରାଜିତା ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ଚର୍ଚ୍ଚା ହେଉଛି ମୋଦି ମଧ୍ୟ ସେହିଠାରୁ ନିର୍ବାଚନୀ କ୍ୟାମ୍ପେନ ଆରମ୍ଭ କରିବାକୁ ଯାଉଛନ୍ତି । ଅଥାର୍ତ ମୋଦି ଯେଉଁ ଖୋର୍ଦ୍ଧା ଠାରେ ବିଶାଳ ସମାବେଶ କରିବାକୁ ଯାଉଛନ୍ତି ତାହା ମଧ୍ୟ ଭୁବନେଶ୍ୱର ଲୋକସଭା ଆସନ ଅଧୀନରେ ଆସୁଛି । ତେଣୁ ଏହି ସମାବେଶ ମାଧ୍ୟମରେ ଅପରାଜିତାଙ୍କ ଭାଗ୍ୟ ମୋଦି ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଖାସକରି ମୋଦିଙ୍କ ଉପସ୍ଥିତିରେ ଏହି ସମାବେଶ ମାଧ୍ୟମରେ ଅପରାଜିତାଙ୍କୁ ମୁଖ୍ୟ ଚେହେରା ଭାବେ ସାମ୍ନାକୁ ଆଣିବାକୁ ବିଜେପି ଯୋଜନା କରୁଥିବା ଶୁଣିବାକୁ ମିଳୁଛି ।

ଏହାଛଡା ଅପରାଜିତାଙ୍କୁ ଦଳକୁ ଆଣିବା ପଛରେ ପିଏମଓର ହାତ ରହିଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି । ଏପରିକି ଅପରାଜିତା ରାଜ୍ୟସ୍ତରୀୟ ମିଶ୍ରଣ ପର୍ବରେ ଦଳରେ ନ ମିଶି ସିଧାସଳଖ ଦିଲ୍ଲୀରେ ଦଳର ମୁଖିଆଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ । ଅପରାଜିତା ଦିଲ୍ଲୀ ଲିଙ୍କରେ ପଦ୍ମ ଧରିଛନ୍ତି ଏକଥା କାହାକୁ ଅଛପା ନାହିଁ । କିନ୍ତୁ ଉକ୍ତ ମିଶ୍ରଣ ପର୍ବରେ କୌଣସି କାରଣବସତଃ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିନଥିଲା । ତେଣୁ ଅପରାଜିତାଙ୍କୁ ବିଜେପି କର୍ମୀ ମହଲରେ ପରିଚିତ କରିବାକୁ ମୋଦି ଏହି ସମାବେଶରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଅପରାଜିତାଙ୍କୁ ସାମ୍ନାରେ ରଖି ମୋଦି ଯେଉଁ ତୀର ମାରିବେ ତାହା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ ନା ବିଜେପି ଶିବିରକୁ ପ୍ରଭାବିତ କରିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । କାରଣ ଅପରାଜିତା ଦଳରେ ମିଶିବା ପରେ ତୃଣମୁଳସ୍ତରର କର୍ମୀ ଅପରାଜିତାଙ୍କୁ ହିଁ ତାଙ୍କର ନେତା ବୋଲି ଧରିନେଇଥିବା ଚର୍ଚ୍ଚା ହେଉଛି । ତେଣୁ ମୋଦି ଯଦି ଅପରାଜିତାଙ୍କୁ ସାମ୍ନାକୁ ଆଣନ୍ତି ତେବେ ବିଜେପିର ଏକ କୋଟରୀ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।