ଦ୍ୱନ୍ଦ୍ୱ ବଢ଼ାଇଲା ମୋଦୀଙ୍କ ଓଡ଼ିଶା ଗସ୍ତ: କଂଗ୍ରେସକୁ ସମାଲୋଚନା, ବିଜେଡି ସଂପର୍କରେ ନିରବ!

169

କନକ ବ୍ୟୁରୋ: ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶନିବାର ସମ୍ବଲପୁର ଆସି ରାଜ୍ୟ ବିଜେପି ପାଇଁ ନିର୍ବାଚନ ବିଗୁଲ ବଜାଇଛନ୍ତି । ତେବେ ଓଡିଶା ଗସ୍ତବେଳେ ମୋଦି ୨୦୧୯ ଆଭିମୁଖ୍ୟ ଦେଖାଇନାହାନ୍ତି । ସମ୍ବଲପୁରରେ କଂଗ୍ରେସକୁ ସମାଲୋଚନା କରିଥିବାବେଳେ ବିଜେଡିକୁ ନେଇ ନେଇ ନୀରବ ଅଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡି଼ଶା ଗସ୍ତରେ ଦୁଇ ପ୍ରକାର ଆଭିମୁଖ୍ୟ ଦେଖିବାକୁ ମିଳିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯେଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ, ଗତକାଲିର କାର୍ଯ୍ୟକ୍ରମରେ ତାହା ଦେଖିବାକୁ ମିଳିନାହିଁ । କଂଗ୍ରେସ ଉପରେ ଜୋରଦାର ବର୍ଷିଥିବାବେଳେ ରାଜ୍ୟରେ କ୍ଷମତାସୀନ ବିଜେଡି ଉପରେ ନରମ ଆଭିମୁଖ୍ୟ ଦେଖାଇଛନ୍ତି ମୋଦୀ । ଯାହାକୁ ନେଇ ରାଜ୍ୟ ବିଜେପିରେ ଦ୍ୱନ୍ଦ୍ୱ ବଢିବା ଆଶଙ୍କା କରିଛନ୍ତି ରାଜନୀତି ସମୀକ୍ଷକ ।

ସମ୍ବଲପୁର ରେମେଡ୍ ପଡ଼ିଆରେ ଗ୍ୟାରେଂଟି ସମାବେଶ କରି ଓଡ଼ିଶାବାସୀଙ୍କ ପାଇଁ କେନ୍ଦ୍ର ଦେଉଥିବା ଆର୍ଥିକ ସହାୟତାର କେବଳ ହିସାବ ରଖିଛନ୍ତି ମୋଦୀ । ହେଲେ ଟଙ୍କା କାହିଁକି ଲୋକଙ୍କ ପାଖରେ ପହଂଚୁନି, କେନ୍ଦ୍ର ଯୋଜନାକୁ କିଏ ହାଇଜାକ କରୁଛି ଭଳି ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ନାହିଁ । ଯାହା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଉଭୟ ବିଜେପି ଓ ବିଜେଡିକୁ ଘେରିବା ପାଇଁ କଂଗ୍ରେସକୁ ମୌକା ମିଳିଯାଇଛି ।

କୁହାଯାଉଥିଲା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖି ଓଡିଶାରେ ବିଜେପିି-ବିଜେଡି ମଧ୍ୟରେ ସଂପର୍କର ରୂପରେଖ ସ୍ଥିର ହେବ । ସେମିଫାଇନାଲ ଲଢେଇରେ ବଡ଼ ବିଜୟ ପରେ ଓଡିଶାରେ ବିଜେପି ଆହୁରି ଆକ୍ରମଣାତ୍ମକ ହେବ ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବଜାଇଲା ବେଳେ ପୁଣିଥରେ ରାଜ୍ୟ ବିଜେପିକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଯାହା ବିଜେପିର ନିର୍ବାଚନୀ ରଣନୀତିକୁ ଦୁର୍ବଳ କରିଦେବା ଆଶଙ୍କା କରାଯାଉଛି ।