ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମୋଦୀଙ୍କ ନୂଆ ରଣନୀତି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ବିଜେପି , ରଣନୀତିକୁ ନେଇ ମଧ୍ୟପ୍ରଦେଶ ବିଜେପିରେ କନ୍ଦଳ

128

କନକ ବ୍ୟୁରୋ : ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦୁଇ ଦଶନ୍ଦି ପରେ ପ୍ରଥମ ଥର ଏହି ସବୁ ରାଜ୍ୟରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ମଇଦାନକୁ ଓହ୍ଲାଇବ । ତିନୋଟି ରାଜ୍ୟରୁ ୨ଟିରେ କଂଗ୍ରେସ ସତ୍ତାରେ ଥିବାବେଳେ ମଧ୍ୟପ୍ରଦେଶରେ ବିଜେପି ସତାରେ ଅଛି । ତଥାପି ଏଭଳି ରଣନୀତି ପ୍ରସ୍ତୁତ କରାଯାଇଛି । ହେଲେ ଏଭଳି ରଣନୀତିକୁ ନେଇ ବିଜେପିରେ କନ୍ଦଳର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି । ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏଥିରେ ବହୁ ହେବିୱେଟ୍ ନେତା ରହିଥିବାବେଳେ କିନ୍ତୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ନା ନାହିଁ । ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ସାଂସଦଙ୍କୁ ପ୍ରାର୍ଥୀ ଭାବେ ବଛାଯାଇଛି, ହେଲେ ଶିବରାଜ ସିଂ ଚୌହ୍ୱାନଙ୍କୁ ଏପର୍ଯ୍ୟନ୍ତ ଟିକେଟ୍ ନ ମିଳିବାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।

୬୪ ବର୍ଷୀୟ ଶିବରାଜ ସିଂହ ଚୌହ୍ୱାନ ୨୦୦୫ରେ ଅନେକ କସରତ କରି ମୁଖ୍ୟମନ୍ତ୍ରୀ ଆସନ ହାସଲ କରିଥିଲେ । ୨୦୦୮ରେ ଶିବରାଜଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ମଧ୍ୟପ୍ରଦେଶରେ ବିଜେପି ସତାକୁ ଆସିଥିଲା । ପରେ ୨୦୧୮ରେ ଦଳର ପରାଜୟ ଚୌହ୍ୱାନ୍ଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲା । ହେଲେ ୨୦୨୦ରେ ପୁଣି ବାଜି ମାରି ସତାକୁ ଫେରିଥିଲେ । ହେଲେ ଏବେ ତାଙ୍କୁ ହିଁ ଦଳ ଟିକେଟ୍ ଦେଇ ନାହିଁ ।

ରାଜସ୍ଥାନ ଓ ଛତିଶଗଡରେ ବି ସମାନ ଫର୍ମୁଲାରେ ନିର୍ବାଚନ ଲଢିବ ବିଜେପି । ରାଜସ୍ଥାନରେ ବସୁନ୍ଦରା ରାଜେ, ଅର୍ଜୁନ୍ ରାମ ମେଘୱାଲ, ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଓମ୍ ମାଥୁର ନିଜକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ ବଡ ଦାବିଦାର ଭାବେ ଚିତ୍ରଣ କରୁଛନ୍ତି । ହେଲେ ଦଳ ପକ୍ଷରୁ ନିଷ୍ପତି ହୋଇଛି, ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଏଥର ନିର୍ବାଚନ ଲଢିବ । ଏଭଳି ସ୍ଥିତିରେ ରାଜସ୍ଥାନରେ କଂଗ୍ରେସର ଅଶୋକ ଗେହଲଟ ସରକାରଙ୍କୁ ମାତ୍ ଦେବାରେ ବିଜେପି ସଫଳ ହେବ କି ନାହିଁ ସେନେଇ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ସେପଟେ, ବଡ ବଡ ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍ ଦେଇଦେଲେ ବିଜିୟ ସୁନିଶ୍ଚିତ ଏହା ଆସମ୍ଭବ ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଛତିଶଗଡରେ ବିଜେପିର କୌଣସି ବି ରଣନୀତି କାମରେ ଆସିବ ନାହିଁ ବୋଲି ସେ ଦୃଢୋକ୍ତି ସହ କହିଛନ୍ତି ।
ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ମଇଦାନକୁ ଓହ୍ଲାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ମଧ୍ୟପ୍ରଦେଶ, ପରେ ରାଜସ୍ଥାନ ଏବଂ ଏବେ ଗୁଜୁରାଟରେ ମାରଥନ୍ ର୍ୟାଲି ଓ ଜନସଭାର ଆୟୋଜନ କରୁଛନ୍ତି । ହେଲେ କେବଳ ମୋଦୀ ହାୱାରେ ନିର୍ବାଚନ ଜିତିବା ସମ୍ଭବ ହେବ କି ନାହିଁ ତାହା ସମୟ କହିବ ।