ମୋଦୀଙ୍କ ‘ମିଶନ ହିମାଚଳ’। ଦଶହରାରେ ଦେଲେ ବଡ଼ ଉପହାର, ବିଳାସପୁରରେ ଉଦଘାଟିତ ହେଲା ଏମ୍ସ। 

67

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ବହୁ ପ୍ରତୀକ୍ଷିତ ଏମ୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ହେବାକୁଥିବା ହିମାଚଳ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି । ହିମାଚଳ ପ୍ରଦେଶ ପାଇଁ ୩ହଜାର ୬୫୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଘୋଷଣା କରିଛନ୍ତି । ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇ ଏହି ପର୍ବକୁ ବିଜୟର ପ୍ରତୀକ ବୋଲି ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି, ହିମାଚଳ ପ୍ରଦେଶ ହେଉଛି ବୀରତ୍ୱର ମାଟି । ବିଜୟାଦଶମୀ ଅବସରରେ ହିମାଚଳ ପ୍ରଦେଶର ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ଭିତିଭୂମି ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ।

କ’ଣ ରହିଛି ବିଳାସପୁର ଏମ୍ସର ବିଶେଷତ୍ୱ?

– ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୪୭୦ କୋଟି ଟଙ୍କା

– ୨୪୭ ଏକର ବିଶିଷ୍ଟ ଜମି

– ରୋଗୀଙ୍କ ପାଇଁ ୭୫୦ ବେଡ୍

– ୬୪ଟି ଆଇସିୟୁ ବେଡ୍

– ୧୮ଟି ଅତ୍ୟାଧୁନିକ ସର୍ଜରୀ ରୁମ୍

– ଲୋକଙ୍କୁ ଦିଆଯିବ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା

– ଉପକୃତ ହେବେ ୩୦ଲକ୍ଷରୁ ଲୋକେ

– ୫ ଜିଲ୍ଲାର ଲୋକଙ୍କର ହେବ ଚିକିତ୍ସା

– ଆୟୁଷ୍ମାନ-ହିମକେୟାର କାର୍ଡ ଯୋଗେ ମାଗଣା ଚିକିତ୍ସା

– ଯୁବବର୍ଗଙ୍କୁ ମିଳିବ ରୋଜଗାର ସୁଯୋଗ

ହିମାଚଳ ପ୍ରଦେଶର ଆଦିବାସୀ ଓ ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ମେଡିକାଲ ପକ୍ଷରୁ ଡିଜିଟାଲ୍ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ଏହାସହ କାଜା, ସଲୁନି ଓ କେଲାଙ୍ଗ ଭଳି ଦୁର୍ଗମ ଆଦିବାସୀ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ପ୍ରତିବର୍ଷ ଏମବିବିଏସ୍ ପାଠ୍ୟକ୍ରମରେ ୧୦୦ ଛାତ୍ର ଓ ନର୍ସିଂ ପାଠ୍ୟକ୍ରମର ୬୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଶିଳାନ୍ନ୍ୟାସର ଲୋକାର୍ପଣ କରିଛନ୍ତି । ପିଞ୍ଜୋରରୁ ନାଲାଗଡ଼ ପର୍ଯ୍ୟନ୍ତ ୩୧ କିଲୋମିଟର ବିଶିଷ୍ଟ ଜାତୀୟ ରାଜପଥକୁ ୪ ଲେନ୍ ବିଶିଷ୍ଟ ଆଦି ସାମିଲ ଅଛି । ଏହି ସଡ଼କ ପ୍ରକଳ୍ପ ଅମ୍ବାଲା, ଚଣ୍ଡିଗଡ଼, ପଞ୍ଚକୁଲା ଏବଂ ସୋଲାନ ଓ ସିମଲାରୁ ବିଲାସପୁର, ମଣ୍ଡି ଓ ମନାଲୀ ଅଭିମୁଖେ ଯାତାୟତ ପାଇଁ ଏକ ପ୍ରମୁଖ ସଂଯୋଗ । ଏହି ରାଜପଥ ହିମାଚଳର ଶିଳ୍ପ କେନ୍ଦ୍ର କୁହାଯାଉଥିବା ନାଲାଗଡ଼-ବର୍ଦ୍ଦିରେ ଉତ୍ତମ ପରିବହନ ସୁବିଧାକୁ ସୁନିଶ୍ଚିତ କରିବ । ଏହାସହ ନାଲାଗଡ଼ରେ ଏକ ମେଡିକାଲ ପାର୍କର ଶିଳାନ୍ନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୩୫୦ କୋଟି ଟଙ୍କାରେ ଏହା ନିର୍ମାଣ ହେବ । ଏହି ଯୋଜନା ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି ।