କେନ୍ଦ୍ରମନ୍ତ୍ରୀଙ୍କ ମାଡ ତତ୍ତ୍ୱ । ଅଫିସରଙ୍କୁ ଗୋଲାମ କହି ଗାଳିଗୁଲଜ କଲେ ମୋଦୀଙ୍କ ମନ୍ତ୍ରୀ ।

691

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ମାଡ ତତ୍ତ୍ୱ । ଅଫିସରଙ୍କୁ ଗୋଲାମ କହି ଗାଳିଗୁଲଜ କଲେ ମୋଦିଙ୍କ ମନ୍ତ୍ରୀ । ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ରାଗିଯାଇ ଶାଳୀନତାର ସବୁ ସୀମା ଟପିଯିବା ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ବହୁ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଦେଇ ଅପମାନିତ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ବେଳେ ଏକ ଘଟଣା ଘଟିଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ସମୀକ୍ଷା ବୈଠକ ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ମାଣ ସଂପର୍କିତ ଅଭିଯୋଗ ନେଇ ପଚାରିଥିଲେ କେନ୍ଦ୍ରମନ୍ତ୍ରୀ । ଆଉ କନିଷ୍ଠଯନ୍ତ୍ରୀ ହସି ହସି ଉତ୍ତର ଦେବାରୁ ରାଗିଯାଇଥିଲେ ମନ୍ତ୍ରୀ ବିଶେଶ୍ୱର ଟୁଡୁ । କହିଥିଲେ ମୟୂରଭଞ୍ଜ ଗଲେ କିଭଳି ମାଡ ପଡିବ ଦେଖିବ । ଏଥିସହ ତମେ କାହାର ଗୋଲାମ ବୋଲି ପ୍ରଶ୍ନ କରି ଗାଳିଗୁଲଜ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।