ହୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ‘ହାଓଡି ମୋଦି’କାର୍ଯ୍ୟକ୍ରମକୁ କରିବେ ସମ୍ବୋଧନ, କାର୍ଯ୍ୟକ୍ରମରେ ସାମିଲ ହେବେ ଟ୍ରମ୍ପ

161

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ଦିନିଆ ଗସ୍ତରେ ଆମେରିକାରେ ପହଂଚିଛନ୍ତି । ଟେକ୍ସାସ ପ୍ରଦେଶରେ ହୁଷ୍ଟନରେ ପହଂଚିବା ପରେ ମୋଦିଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଆୟୋଜିତ ମେଗା ଇଭେଂଟ ହାଓଡି ମୋଦି କାର୍ଯ୍ୟକ୍ରମ ପ୍ରସ୍ତୁତ ଚୂଡାନ୍ତ ହୋଇଛି । ଏହି ସମାବେଶରେ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ । ପ୍ରାୟ ୭୨ ହଜାର ଆସନ ବିଶିଷ୍ଟ ଏନଆରଜି ଷ୍ଟାଡିୟମରେ ହାଓଡି ମୋଦି କାର୍ଯ୍ୟକ୍ରମ ଆଜି ସକାଳ ୮ଟା ୪୫ ମିନିଟରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ଯାଏଁ ଚାଲିବ । ମୋଦିଙ୍କ ସ୍ୱାଗତ ସମାରୋହରେ ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ମଧ୍ୟ ଉପସ୍ଥିତ ରହିବେ । ହୁଷ୍ଟନ ପହଂଚିବା ପରେ ମୋଦି ହେଟୋଲ ପୋଷ୍ଟ ଓକେରେ ରହିଛନ୍ତି । ସେହି ହୋଟେଲ ବାହାରେ ତ୍ରିରଙ୍ଗା ପତାକା ଧରି ମୋଦିଙ୍କ ସ୍ୱାଗତରେ ବିପୁଳ ପରିମାଣରେ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଥିଲେ ।

ହାଓଡି ମୋଦି କାର୍ଯ୍ୟକ୍ରମ ପାଇଁ ୫୦ ହଜାର ଟିକେଟ ବିକ୍ରି ସରିଥିବା ବେଳେ ଫ୍ରି ପାସ ପାଇଁ ଲୋକେ ଅପେକ୍ଷା କରିଛନ୍ତି । ହୁଷ୍ଟନର ଏନଆରଜି ଷ୍ଟାଡିୟମରେ ଟେକ୍ସାସ ଇଣ୍ଡିଆ ଫୋରମ ସହ ଏକ ହଜାରରୁ ଅଧିକ ସ୍ୱଂୟସେବୀ ଓ ୬୫୦ରୁ ଅଧିକ ସଂଗଠନ ସହଯୋଗରେ ହାଓଡି ମୋଦି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏନଆରଜି ଷ୍ଟାଡିୟମ ଓ ହୁଷ୍ଟନ ସହର ସାରା ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ ହୋର୍ଡିଂ ଲଗାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ଲେଖାଯାଇଛି । ହାଓଡି ମୋଦି କାର୍ଯ୍ୟକ୍ରମରେ ଆମେରିକାର ୪୮ଟି ରାଜ୍ୟର ଲୋକେ ସାମିଲ ହେବେ । ଲୋକତାନ୍ତ୍ରିକ ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀ ପାଇଁ ଏହା ସବୁଠାରୁ ବଡ ଆୟୋଜନ ବୋଲି କୁହାଯାଉଛି । ପୂର୍ବରୁ ଅନ୍ୟ ଦେଶର ରାଜନେତାଙ୍କ ପାଇଁ ଆମେରିକାରେ ଏପରି କୌଣସି ସମାରୋହ ଆମେରିକାରେ ହୋଇନାହିଁ । ଆମେରିକାରେ ବିଦେଶୀ ନେତା ଭାବେ ପୋପଙ୍କ ପରେ ମୋଦିଙ୍କ ପାଇଁ ଏତେ ସଂଖ୍ୟାରେ ଲୋକେ ଏକତ୍ରିତ ହେବେ । ହାଓଡି ମୋଦି କାର୍ଯ୍ୟକ୍ରମରେ ଆମେରିକାର ସାଂସଦ, ମେୟର ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ସାମିଲ ହେବେ ।