କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ, ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିଛି । ୱାଂଶିଟନ ଡିସିରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟସ୍ୱାଗତ ପ୍ରଦାନ କରିଛନ୍ତି ବାଇଡେନ ପ୍ରଶାସନ । କଡ଼ା ସୁରକ୍ଷା ଭିତରେ ବିମାନବନ୍ଦରରୁ ହ୍ୱାଇଟ ହାଉସରେ ପହଞ୍ଚିଥିଲେ ମୋଦୀ । ହ୍ୱାଇଟ୍ ହାଉସରେ ମୋଦୀଙ୍କ କାରକେଡ ପହଞ୍ଚିିବାପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ । ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ୍ ମଧ୍ୟ ମୋଦୀଙ୍କୁ ସ୍ୱାଗତ ଜଣାଇଛନ୍ତି । ପରସ୍ପରଙ୍କୁ ଉପହାର ଦେଇ ସାରା ବିଶ୍ୱକୁ ବନ୍ଧୁତାର ବାର୍ତା ଦେଇଛନ୍ତି । ୮୧ତମ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଦଶ ଦାନମ୍ ବା ୧୦ ଉପହାର ଦିଆଯାଏ । ସୁସ୍ଥ ନିରାମୟ ଜୀବନ କାମନା କରି ଏହି ଉପହାର ଦିଆଯାଇଥାଏ ।

Advertisment

ନଭେମ୍ବରରେ ବାଇଡେନଙ୍କୁ ହେବ ୮୧ ବର୍ଷ । ଏହିପାଇଁ ମୋଦୀ ତାଙ୍କୁ ୧୦ ଉପହାର ଦେଇଛନ୍ତି । ଏଥିରେ ରହିଛି ସୁନା, ରୁପା, ଭୂମିଦାନର ପ୍ରତୀକ ଭାବେ ଚନ୍ଦନ କାଠ, ଗୋଦାନ ପ୍ରତୀକ ଭାବେ ରୁପାରେ ତିଆରି ନଡ଼ିଆ, ଲବଣ ଦାନ, ଗୁଡ଼, ତିଳ ବା ରାଶି, ଘିଅ, ବସ୍ତ୍ର ଓ ଖାଦ୍ୟଶସ୍ୟ ।

ନଜର ପକାନ୍ତୁ ମୋଦୀଙ୍କ ଉପହାର ଉପରେ -
ବାଇଡେନଙ୍କୁ ମୋଦୀଙ୍କ ଉପହାର
-ରାଜସ୍ଥାନ କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା
-ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ
-କର୍ଣ୍ଣାଟକର ଚନ୍ଦନକାଠ
-ତାମିଲନାଡୁର ଧଳା ରାଶି
-ରାଜସ୍ଥାନ କାରିଗର କରିଥିବା ୨୪ କ୍ୟାରେଟ ସ୍ୱର୍ଣ୍ଣ ମୁଦ୍ରା
-ପଞ୍ଜାବର ଘିଅ
-ଝାଡଖଣ୍ଡର ଟସର କପଡ଼ା
-ଉତ୍ତରାଖଣ୍ଡର ଲମ୍ବା ସରୁ ଚାଉଳ
-ମହାରାଷ୍ଟ୍ରର ଗୁଡ଼
- ଚନ୍ଦନ ପେଡ଼ିରେ ରହିଛି ରୁପାର ଗଣେଶ ମୂର୍ତ୍ତି, ରୁପାର ଦୀପ ଓ ରୁପାର ନଡ଼ିଆ

କେବଳ ସେତିକି ନୁହେଁ, ଇଂରାଜୀ ଭାଷାରେ ୧୯୩୭ ମସିହାରେ ପ୍ରକାଶିତ ଉପନିଷେଦ ପୁସ୍ତକ ଏବଂ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ୭.୫ କ୍ୟାରେଟ୍ର ହୀରା ଉପହାର ଭାବେ ଦେଇଛନ୍ତି ମୋଦୀ । କାଶ୍ମୀରରେ ତିଆରି ହୋଇଥିବା ଏକ ଆକର୍ଷଣୀୟ ବାକ୍ସରେ ଏହି ହୀରାକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୋଦୀଙ୍କୁ ମଧ୍ୟ ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସ୍ୱତନ୍ତ୍ର କ୍ୟାମେରା ଓ ପୁସ୍ତକ ଆଦି ଉପହାର ଭାବେ ଦେଇଛନ୍ତି ବାଇଡେନ୍ । ଏହା ପରେ ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆଡ଼ମ୍ବରପୂର୍ଣ୍ଣ ଆତିଥ୍ୟ ଦିଆଯାଇଛି । ହ୍ୱାଇଟହାଉସରେ ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ରାତ୍ରୀଭୋଜନ ଆୟୋଜିତ ହୋଇଥିଲା ।