ମୋଦୀଙ୍କ ଫୋକସରେ ଓଡିଶା । ସପ୍ତାହକ ଭିତରେ ଦୁଇ ଥର ଆସିବେ ପ୍ରଧାନମନ୍ତ୍ରୀ । ମହିଳା ସମାବେଶରେ ଯୋଗ ଦେବା ନେଇ ସୂଚନା

Advertisment
ମୋଦୀଙ୍କ ଫୋକସରେ ଓଡିଶା । ସପ୍ତାହକ ଭିତରେ ଦୁଇ ଥର ଆସିବେ ପ୍ରଧାନମନ୍ତ୍ରୀ । ମହିଳା ସମାବେଶରେ ଯୋଗ ଦେବା ନେଇ ସୂଚନା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ଫେବ୍ରୁଆରୀରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ ଥିବାବେଳେ ୧୦ ତାରିଖରେ ଭୁବନେଶ୍ୱର ଆସି ମହିଳା ସମାବେଶରେ ଯୋଗ ଦେଇପାରନ୍ତି ନରେନ୍ଦ୍ର ମୋଦୀ । ତେବେ ଦଳର ସର୍ବୋଚ୍ଚ ନେତାଙ୍କ ଗସ୍ତ ଖବର ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

  • ବିଜେପି ଫୋକସରେ ଓଡ଼ିଶା
  • ଗୋଟିଏ ସପ୍ତାହରେ ଦୁଇ ଥର ଓଡ଼ିଶା ଆସିବେ ମୋଦୀ!
  • ଫେବ୍ରୁଆରୀ ୩ରେ ସମ୍ବଲପୁର, ୧୦ରେ ଭୁବନେଶ୍ୱର!

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମଙ୍କୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ ଭରିଯାଇଛି । ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଆସିବା ନେଇ ସ୍ଥିର ହୋଇଥିବା ବେଳେ ପୁଣି ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଫେବ୍ରୁଆରୀ ୩ ତାରିଖ

  • ‘ସମ୍ବଲପୁର ଆଇଆଇଏମ୍’ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
  • ସରକାରୀ କାର୍ଯ୍ୟକ୍ରମ ପରେ ଜନସଭାରେ ବି ସାମିଲ ହେବେ ମୋଦୀ

ଅନ୍ୟପଟେ ମହିଳା ଭୋଟରଙ୍କୁ ଆଖି ଆଗରେ ରଖି ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ ଆୟୋଜନ କରିବାକୁ ଯାଉଛି ବିଜେପି । ଗୋଟିଏ ଓଡ଼ିଶାର ଭୁବନେଶ୍ୱରରେ ମହିଳା ସମାବେଶ ହେବାକୁ ଥିବା ବେଳେ ଅନ୍ୟ ସମାବେଶଟି ମଧ୍ୟପ୍ରଦେଶରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି ।

ଫେବ୍ରୁଆରୀ ୧୦ ତାରିଖ

  • ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ
  • ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା ହେବେ ସାମିଲ
  • ଅନ୍ୟ କେନ୍ଦ୍ରୀୟ ନେତାଙ୍କ ସହ ଯୋଗ ଦେଇପାରନ୍ତି ମୋଦୀ

ତେବେ ବିଜେଡିର ମହିଳା ବ୍ୟାଙ୍କଙ୍କୁ ଭାଙ୍ଗିବା ପାଇଁ ବିଜେପିର ଏହା ରଣନୀତି ବୋଲି କୁହାଯାଉଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ଓଡ଼ିଶାରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । ମହିଳାମାନେ ସବୁବେଳେ ବିଜେଡି ସହ ଅଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ମହିଳା ଓ ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ରାଜନୈତିକ ଦଳ । ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମ ରାଜନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱ ରଖୁଛି । ବିଜେପିର କିଛି ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ଅନେକ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe