କରୋନା କାଳରେ ଭୁଷୁଡି ପଡିଥିବା ଅର୍ଥନୀତିର ସୁଧାର ପାଇଁ ଆଜି ବରିଷ୍ଠ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ ନୀତି ପକ୍ଷରୁ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ

ଅର୍ଥନୀତିଜ୍ଞଙ୍କ ସହ ମୋଦିଙ୍କ ଆଲୋଚନା

92

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ଏବେ ନିମ୍ନଗାମୀ ରହିଛି । ବଜାର ଠାରୁ ବ୍ୟାଙ୍କ୍, କ୍ଷୁଦ୍ର ଶିଳ୍ପ ଠାରୁ ଆରମ୍ଭ କରି ଦିନ ମଜୁରୀଆ । ସମସ୍ତଙ୍କ ଉପରେ କରୋନା ମହାମାରୀର ପ୍ରଭାବ ଦେଖିବାକୁ ମିଳିଛି । ଗୋଟେ ପଟେ ପ୍ରତିଟି ଲୋକର ରୋଜଗାର କମିଥିବା ବେଳେ ବଜାର ଦର ଏବେ ହୁ ହୁ ହୋଇ ବଢିଚାଲିଛି । କରୋନା ମହାମାରୀ ପାଇଁ ସରକାର ରାଜକୋଷରୁ ସହାୟତା ଦେଇ ଦେଇ ଏବେ ରାଜକୋଷ ଖାଲି ହେବାକୁ ବସିଛି । ଫଳରେ ଦେଶର ଅର୍ଥନୀତି ଏବେ ପୁରା ମାନ୍ଦାବସ୍ଥା ଦେଇ ଗତି କରୁଛି ।

ଏସବୁର ସମାଧାନ କିଭଳି ହୋଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ଆଜି ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଲୋକଙ୍କ ଆୟ ବୃଦ୍ଧି କରିବା ଓ ପୁଣିଥରେ ଅର୍ଥନୀତିକୁ କିଭଳି ସ୍ୱାଭାବିକ କରାଯାଇ ପାରିବ ସେ ନେଇ ଆଜି ଆୟୋଜିତ ହେବାକୁ ଥିବା ଆଲୋଚନାରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ । କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ମଧ୍ୟ ଯୋଗ ଦେବେ । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୫% କୁ କମିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଏବଂ ୱାର୍ଲଡ ବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଯଥାକ୍ରମେ ୧୦.୩% ଏବଂ ୯.୬ % ଖସିବ ନେଇ ଅନୁମାନ କରିଛନ୍ତି । ଦ୍ୱିତୀୟ ତୈମାସରେ ଦେଶର ଜିଡିପି ୭.୫% ଖସିଛି । ୨୦୧୯-୨୦ ରେ ଦେଶର ଅଭିବୃଦ୍ଧି ୪.୨ % ରହିଛି । ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହାର ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।