ମିଳିତ ଜାତିସଂଘରେ ମୋଦୀଙ୍କ ବଡ ପ୍ରଶ୍ନ । ସାରା ବିଶ୍ୱ କରୋନା ପାଇଁ ଲଢୁଥିବା ବେଳେ କୁଆଡେ ଗଲା ଜାତିସଂଘର ପଦକ୍ଷେପ ? ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ସାଧାରଣ ପରିଷଦ ବୈଠକରେ ଦୋହରାଇଲେ ଦାବି

263

କନକ ବ୍ୟୁରୋ : ମିଳିତ ଜାତିସଂଘର ୭୫ତମ ସାଧାରଣ ପରିଷଦ ବୈଠକରେ ଉଦ୍ବୋଧନ ଦେଇ ବର୍ତମାନ ପରିସ୍ଥିତିରେ ଏହି ବିଶ୍ୱ ସଂଗଠନର ସଂସ୍କାର ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିସଂଘର ପ୍ରକ୍ରିୟାରେ ପରିବର୍ତନ, ବ୍ୟବସ୍ଥାରେ ପରିବର୍ତନ, ରୂପରେଖରେ ପରିବର୍ତନର ବର୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି । ଜାତିସଂଘର ସଂସ୍କାର ନେଇ ଚାଲିଥିବା ପ୍ରକ୍ରିୟା ଶେଷ ହେବାକୁ ବହୁତ ସମୟ ଲାଗିଲାଣି । ଭାରତର ଲୋକେ ଏହାକୁ ନେଇ ଏବେ ଚିନ୍ତାରେ । ଏହାର ଯଥାର୍ଥ ଅନ୍ତ କେବେ ହେବ ତାକୁ ସମସ୍ତଙ୍କ ଅପେକ୍ଷା ବୋଲି ମୋଦି କହିଛନ୍ତି ।

ତେବେ ସୁରକ୍ଷା ପରିଷଦରେ ଭାରତକୁ କେବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଗତ ୮-୯ ମାସ ହେଲା ସାରା ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢେଇ ଜାରି ରଖିଛି । କିନ୍ତୁ ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘର ଉଦ୍ୟମ ଓ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଏବେ ସମସ୍ତଙ୍କୁ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ନିଜର ବକ୍ତବ୍ୟ ରଖିଛନ୍ତି ।