ବନ୍ୟା ନିୟନ୍ତ୍ରଣ ପାଇଁ ମୋଦିଙ୍କ ୫.୫ ଲକ୍ଷ କୋଟି ଟଙ୍କାର ନଦୀ ସଂଯୋଗୀକରଣ ଯୋଜନା ! ମହାନଦୀ ସମେତ ୬୦ଟି ବଡ଼ ନଦୀ ସାମିଲ

71

କନକ ବ୍ୟୁରୋ: ଦେଶରେ ପ୍ରତିବର୍ଷ ବନ୍ୟା ହୋଇ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ବହୁ ଜୀବନ ହାନି ହେଉଥିବାରୁ ଏଥିରେ ରୋକ୍ ଲଗାଇବାକୁ ନଦୀ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପ କାର୍ଯ୍ୟ ମାସକ ମଧ୍ୟରେ ଆରମ୍ଭ ହେବ ଓ ଏହି ଯୋଜନାରେ ଗଙ୍ଗା ସମେତ ଦେଶର ପ୍ରାୟ ୬୦ଟି ବଡ଼ ନଦୀ ସ୍ଥାନ ପାଇଥିବା ଜଣାପଡ଼ିଛି । ଏଥିପାଇଁ ପ୍ରାୟ ୫.୫ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ ବୋଲି ସରକାର ପ୍ରାଥମିକ ଅଟକଳ କରିଛନ୍ତି ।

ଗତ ଦୁଇବର୍ଷ ଧରି ସ୍ୱଳ୍ପ ବୃଷ୍ଟିପାତ ପରେ ଚଳିତ ବର୍ଷ ଲଗାଣ ବର୍ଷାରେ ବଡ଼ ବଡ଼ ନଦୀରେ ବନ୍ୟା ଆସି ଦେଶର ବହୁ ଅଂଚଳ ସମେତ ପଡ଼ୋଶୀ ବାଂଲାଦେଶ ଓ ନେପାଳରେ ପ୍ରଳୟ ସୃଷ୍ଟି କରିଛି । ଏହା ରୋକିବାକୁ ବନ୍ୟା ନିୟନ୍ତ୍ରଣ ସହ ବିଦ୍ୟୁତ ଶକ୍ତି ଉତ୍ପାଦନ ନିମନ୍ତେ ପ୍ରଧାନମନ୍ତ୍ରୀ ନଦୀ ସଂଯୋଗୀକରଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି । ମୋଦିଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟ ଯୋଜନା ଆରମ୍ଭ ପାଇଁ କେନ୍ଦ୍ର ସରକାର ଆବଶ୍ୟକ କ୍ଲିୟରାନ୍ସ ନେଇଛନ୍ତି । ଏହି ଯୋଜନା ଦ୍ୱାରା ଚାଷୀମାନଙ୍କୁ ଫସଲ ପାଇଁ ଆଉ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ପରିବେଶବିତ୍ ଓ ଜୀବଜନ୍ତୁ ପ୍ରେମୀଙ୍କ ବିରୋଧ ସତ୍ତ୍ୱେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ପ୍ରବାହିତ କେନ୍ ନଦୀ ଓ ବେତଓ୍ଵା ନଦୀ ମଧ୍ୟରେ ସଂଯୋଗ ନିମନ୍ତେ ୨୨ କିମି ଲମ୍ବର କେନାଲ ଖନନ ନିମନ୍ତେ ସ୍ଥିରୀକୃତ ହୋଇଛି । ଏକ ବାଘ ସଂରକ୍ଷଣ ପ୍ରକଳ୍ପ ଦେଇ କେନ୍ ନଦୀ ପ୍ରବାହିତ ହୋଇଥିବାରୁ ଡ୍ୟାମ ନିର୍ମାଣ ଓ କେନାଲ ଖନନରେ ବାଘ ସଂରକ୍ଷଣ ଜଙ୍ଗଲର ୬.୫ ପ୍ରତିଶତ ହ୍ରାସ ପାଇବ । ୧୦ଟି ଦୁର୍ଗମ ଅଞ୍ଚଳରେ ଥିବା ୨ହଜାର ପରିବାର ସେମାନଙ୍କ ବସତି ହରାଇବେ । ତେବେ ଉଭୟ ରାଜ୍ୟରେ ବିଜେପି ସରକାରଥିବାରୁ ଏହି ପ୍ରକଳ୍ପ ଠିକ୍ଭାବେ କାର୍ଯ୍ୟକାରୀ ହେବ ଓ ଏହା ଅନ୍ୟ ନଦୀ ସଂଯୋଗୀକରଣ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସରକାର ମନେ କରୁଛନ୍ତି । ଏକାଧିକ ଡ୍ୟାମ ଓ କେନାଲ ନିର୍ମାଣ କରାଯାଇ ଗଙ୍ଗା, ଗୋଦାବରୀ ଓ ମହାନଦୀ ପରି ବୃହତ ନଦୀଗୁଡ଼ିକୁ ସଂଯୋଗ କରାଗଲେ ବନ୍ୟା ଓ ମରୁଡ଼ିର ସ୍ଥାୟୀ ପ୍ରତିକାର ହୋଇପାରିବ ବୋଲି ଏହି ଯୋଜନା ଦାୟିତ୍ୱରେ ରହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ନର୍ମଦା ନଦୀ ସହିତ ପାର୍-ତାପୀ ଏବଂ ପିଞ୍ଜଲ ସହିତ ଡାମନ ଗଙ୍ଗା ନଦୀର ସଂଯୋଗ ନିମନ୍ତେ କାଗଜପତ୍ର କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଦୁଇଟି ପ୍ରକଳ୍ପ ଗୁଜରାଟ ଓ ମହାରାଷ୍ଟ୍ରରେ ହେବାକୁ ଥିବାବେଳେ ଏହି ଦୁଇଟି ରାଜ୍ୟରେ ବିଜେପି ସରକାର ରହିଛନ୍ତି ।